ଭୁବନେଶ୍ବର : କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଗତ ରାତିରେ ଜଟଣୀ ରାଜାବଜାର ଅଞ୍ଚଳରୁ ଦେଢ଼ କୋଟିର ବ୍ରାଉନସୁଗାର ଜବତ କରିବା ସହ ୩ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଟଣୀ ଗଜପତିନଗର ଅଞ୍ଚଳର ସେଖ୍ ସମୀର, ସୟଦ୍ ଇମ୍ତିଆଜ୍ ଏବଂ ଡେଲାଙ୍ଗ ହରିରାଜପୁର ଅଞ୍ଚଳର ରତିରଂଜନ ରାଉତରାୟ। ଏସ୍ଟିଏଫ୍ ସେମାନଙ୍କଠାରୁ ଏକ କିଲୋ ୩୨୦ ଗ୍ରାମ୍ର ବ୍ରାଉନସୁଗାର, ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଓ ଗୋଟିଏ ବାଇକ୍ ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, କିଛି ଦିନ ହେବ ଏହି ତିନି ମାଫିଆ ପଶ୍ଚିମବଙ୍ଗରୁ ଧଳାଜହର ଆଣି ରାଜଧାନୀରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିଲେ। କିଛି ଦିନ ତଳେ ଅଭିଯୁକ୍ତମାନେ ପଶ୍ଚିମବଙ୍ଗରୁ ବହୁ ପରିମାଣର ବ୍ରାଉନ୍ସୁଗାର ଆଣିଥିଲେ। ଜଳେଶ୍ବରର ଜଣେ ମାଫିଆଙ୍କୁ ଭେଟି ସେଠାରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ରାଜଧାନୀର କେଉଁ ବ୍ୟବସାୟୀଙ୍କୁ କେତେ ପରିମାଣର ବ୍ରାଉନ୍ସୁଗାର ଦିଆଯିବ, କାହାଠାରୁ କେତେ ଟଙ୍କା ଆସିବ, ସବୁର ଡିଲ୍ ସରିଥିଲା। ଆଲୋଚନା ପରେ ସେମାନେ ବ୍ରାଉନ୍ସୁଗାର ଧରି ରାଜଧାନୀ ଆସିଥିଲେ। ହେଲେ ଏସ୍ଟିଏଫ୍ ଏ ସବୁର ଟିକିନିକ୍ ତଥ୍ୟ ପାଇବା ପରେ ସେମାନଙ୍କୁ କାବୁ କରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ, ଅଭିଯୁକ୍ତମାନେ ରାଜଧାନୀରେ ପହଞ୍ଚିବା କ୍ଷଣି ଏସ୍ଟିଏଫ୍ର ଗୋଟିଏ ଟିମ୍ ତାଙ୍କର ପିଛା କରିଥିଲା। ଆଉ ଗୋଟିଏ ଟିମ୍ ଡିଲ୍ ପଏଣ୍ଟରେ ଛକି ରହିଥିଲା। ସେମାନେ ଜଟଣୀ ରାଜାବଜାରରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ମାଲ୍ ଦେବା ପାଇଁ ଅପେକ୍ଷା କରିଥିବା ବେଳେ ପିଛା କରୁଥିବା ଟିମ୍ ଓ ପୂର୍ବରୁ ଛକି ବସିଥିବା ଟିମ୍ ମଳିତ ଭାବେ ସେମାନଙ୍କୁ ଘେରି ଯାଇଥିଲେ। ଏସ୍ଟିଏଫ୍ ସେମାନଙ୍କୁ କାବୁ କରି ବ୍ରାଉନ୍ସୁଗାର, ଟଙ୍କା, ବାଇକ୍ ଆଦି ଜବତ କରିଥିଲା। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୦ରୁ ଏପର୍ଯ୍ୟନ୍ତ ଏସ୍ଟିଏଫ୍ ୫୦ କେଜିରୁ ଊର୍ଧ୍ବ ବ୍ରାଉନ୍ସୁଗାର, ୯୦ କୁଇଣ୍ଟାଲ୍ ଅଧିକ ଗଞ୍ଜେଇ ଜବତ କଲାଣି। ଏଥିରେ ସମ୍ପୃକ୍ତ ୧୨୮ରୁ ଅଧିକ ମାଫିଆ ଗିରଫ ହେଲେଣି।