ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୩ ଗିରଫ, ନଗଦ ୯.୪୪ ଲକ୍ଷ ଜବତ

ବାପି-ବାବୁ ଯୋଡ଼ି ଗିରଫ

ବାଲେଶ୍ବର : ବାଲେଶ୍ବର ସହଦେବଖୁଣ୍ଟା ମଡେଲ ଥାନା ପୁଲିସ ଗତକାଲି ସଂଧ୍ୟାରେ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ବ୍ରାଉନ୍‌ସୁଗାର ବେପାରର କିଙ୍ଗ୍‌ପିନ୍‌ କୁହାଯାଉଥିବା ଅରଡ଼ବଜାର ମସଜିଦ୍‌ ଗଳିର ସେକ୍‌ ହାଇଦର ଅଲ୍ଲି (୨୬) ଏବଂ ଖୋର୍ଧା ଜିଲ୍ଲା ଟାଉନ୍ ଥାନା ଅଧୀନ କୁମ୍ଭୀର ଗ୍ରାମର ବାଙ୍କା ଓରଫ୍‌ ପୀତବାସ ରାଣା(୨୯) ଓ ଜାଗୁଳିପାଟଣା ଗ୍ରାମର ଭବାନୀ ପ୍ରସାଦ ସ୍ବାଇଁ (୨୨) ରହିଛନ୍ତି। ଗିରଫ ବେଳେ ସେମାନଙ୍କଠାରୁ ୯ ଲକ୍ଷ ୪୪ ହଜାର ୮୦ ଟଙ୍କା ନଗଦ, ଦୁଇଟି ବାଇକ୍‌ ଓ ତିନିଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ସେମାନଙ୍କଠାରୁ ୩୦୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ୨ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ବେଳେ ‌ଗତକାଲି ‌ଖୋର୍ଧା ପୁଲିସ ମଧ୍ୟ ଏହି କାରବାର ସହ ସମ୍ପୃକ୍ତ ଥିବା ସେଠାକାର ମୁନା ନାୟକ ଓ ସଂଜୟ ପ୍ରଧାନକୁ ଗିରଫ କରିଥିବା ବାଲେଶ୍ବର ଏସ୍‌ପି ବି ଯୁଗଳ କିଶୋର ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ବାପି-ବାବୁ ଯୋଡ଼ି ଗିରଫ

ଖଣ୍ଡଗିରି : କୁଖ୍ୟାତ ବ୍ରାଉନ୍ସୁଗାର ଡିଲର ସନ୍ତୋଷ ପଣ୍ଡାର ୨ ଖୁଚୁରା ବେପାରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଚନ୍ଦକା ଥାନା ପାଇକରାପୁର ଗାଁର ବୈବ୍ରତ ରଣଜିତ୍ ଓରଫ୍ ବାବୁ(୨୪) ଓ ଶିଶୁପାଳଗଡ଼ରେ ରହୁଥିବା ପୁରୀ କାକଟପୁରର ରଣଜିତ୍ ଗୋଛାୟତ ଓରଫ୍ ବାପି(୩୫)। କଳିଙ୍ଗନଗର କେ-୭ ଅଞ୍ଚଳରୁ ପୁଲିସ ସେମାନଙ୍କୁ ଗିରଫ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସେମାନଙ୍କଠାରୁ ୯ ଗ୍ରାମ୍ ବ୍ରାଉନ୍ ସୁଗାର(ବଜାର ଦର ପ୍ରାୟ ଏକ ଲକ୍ଷ ଟଙ୍କା), ଗୋଟିଏ ବାଇକ୍‌ ଓ ୨ଟି ମୋବାଇଲ୍ ଫୋନ୍‌ ସେଟ୍‌ ଜବତ କରିଛି। ସୂଚନାନୁସାରେ ଗତ ୧୦ ତାରିଖ ଦିନ ସ୍ପେଶାଲ ସ୍କ୍ବାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ ମିଳିତଭାବେ ଚଢ଼ାଉ କରି କଳିଙ୍ଗନଗର ବଗ ପାର୍କ ନିକଟରୁ ବ୍ରାଉନ୍ ସୁଗାର ଡିଲର୍ ସନ୍ତୋଷ ପଣ୍ଡାକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର