ବାଲେଶ୍ୱରରୁ ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ହୋଟେଲ ନିକଟରେ ଚାଲିଥିଲା ଡିଲ୍

ଭୁବନେଶ୍ୱର/ବାଲେଶ୍ୱର : ଆନ୍ତର୍ଜାତିକ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳି ପାଲଟିଥିବା ବାଲେଶ୍ବରରୁ ପୁଣି କୋଟିଏ ଟଙ୍କାର ଧଳାଜହର ଜବତ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍। ଏହି ଘଟଣାରେ ୩ ଜଣ ନିଶା ବେପାରୀ ଓ ଏଜେଣ୍ଟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସହଦେବଖୁଣ୍ଟା ଥାନା ମସଜିଦ୍ ଗଳିର ଛୋଟୁ ଓରଫ୍ ଏସ.କେ ଜମିର୍, ନୟାବଜାର ଅଞ୍ଚଳର ପ୍ରଭାତ କୁମାର ସେଠୀ ଏବଂ କାଶିମେଳାର ଯଶୋବନ୍ତ ବାଗ ଓରଫ୍ ସୁକରାଶ। ସେମାନଙ୍କଠାରୁ ନଗଦ ୮୫ ହଜାର ଟଙ୍କା, ମୋବାଇଲ ଫୋନ୍ ଜବତ କରିଛି ଏସଟିଏଫ୍।

ଏସଟିଏଫ୍ ସୂଚନା ଅନୁସାରେ, ସହଦେବଖୁଣ୍ଟାସ୍ଥିତ ଜ୍ୟୋତିସାଗର ହୋଟେଲ ନିକଟରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ବେଳେ ଖବର ପାଇ ଏସ୍‌ଟିଏଫ୍ ସ୍ଥାନୀୟ ଥାନା ପୁଲିସ ସହାୟତାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତିନି ଜଣ ଧରା ପଡ଼ିଥିଲେ। ସେମାନଙ୍କଠାରୁ ୧ କେଜି ୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିଲା। ଯାହାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରା ଯାଇଥିଲା। ତେବେ ଏହା କିଣିବାକୁ ଆସିଥିବା ଗ୍ରାହକ ଚଢ଼ଉ ସମୟରେ ଖସି ପଳାଇଥିଲା।

ସୂଚନାଯୋଗ୍ୟ, ଚଳିତବର୍ଷ ଏବେ ସୁଦ୍ଧା ମୋଟ ୨୩ କେଜି ୨୭୩ ଗ୍ରାମ ବ୍ରାଉନସୁଗାର ଜବତ କରି ସାରିଲାଣି ଏସଟିଏଫ୍। ଏ ବାବଦରେ ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ୪୭ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର