ବରୁଣେଇରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ନଗଦ ୫.୩ ଲକ୍ଷ ଟଙ୍କା, କାର୍‌ ସହ ୫ ଗିରଫ

ବାଲେଶ୍ବରର ବସ୍ତା ନିକଟରୁ ଧରାପଡ଼ିଲେ ଏଜେଣ୍ଟ
ଜାତୀୟ ରାଜପଥରେ ଗୋଡ଼ାଇ ଧରିଲା ଏସଟିଏଫ୍

ଭୁବନେଶ୍ବର : ପୁଣିଥରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଜାଲରେ ପଡ଼ିଛନ୍ତି ବ୍ରାଉନସୁଗାର ବେପାରୀ ଓ ଏଜେଣ୍ଟ। ଖୋର୍ଦ୍ଧା ବରୁଣେଇ ରୋଡରୁ ଏସଟିଏଫ୍ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୪ ଜଣ ଏଜେଣ୍ଟଙ୍କୁ ଧରିଛି। ସେମାନଙ୍କଠାରୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର, ନଗଦ ୫ ଲକ୍ଷ ୩୦ ହଜାର ଟଙ୍କା, କାର୍‌, ପ୍ୟାକିଂ ମେସିନ୍ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ମହାନ୍ତି, ଜଳେଶ୍ବର ଝାଡ଼େଶ୍ବରପୁର ଅଞ୍ଚଳର ଶେଖ୍ ଜୁମାର ଓରଫ୍ ବଦରୁଦ୍ଦିନ୍, ଜଗତସିଂହପୁର ଅଞ୍ଚଳର ସୌମ୍ୟଜିତ ପରିଜା, ସାଗର ବେହେରା ଓ ସପନ ଭଟ୍ଟାଚାର୍ଯ୍ୟ।

ଏସଟିଏଫ୍ ସୂଚନା ଅନୁସାରେ, ଗତାକଲି ବ୍ରାଉନସୁଗାର କାରବାର ଚାଲିଥିବା ଖବର ମିଳିବା ପରେ ବରୁଣେଇ ରୋଡରେ ଚଢ଼ଉ ହୋଇଥିଲା। ସେଠାରୁ ବିଜୟ ମହାନ୍ତିକୁ ଗିରଫ କରାଯିବା ସହ ବ୍ରାଉନସୁଗାର ଜବତ କରାଯାଇଥିଲା। ବ୍ରାଉନସୁଗାର କେଉଁଠୁ ଆସିଲା ପଚରାଉଚରା ପରେ ୪ ଜଣ ଆଣି ଦେଇଥିବା କହିଥିଲା। ସେମାନେ ଆସିଥିବା କାର୍‌ ନମ୍ବର ସହ ମୋବାଇଲ ନମ୍ବର ମଧ୍ୟ ଦେଇଥିଲା। ମୋବାଇଲ ନମ୍ବରକୁ ଟ୍ରାକ୍ କରିବା ପରେ ସେମାନଙ୍କୁ ଧରିବା ଲାଗି ଏସ୍‌ଟିଏଫର ଟିମ୍ ବାଲେଶ୍ବର ଅଭିମୁଖେ ଯାଇଥିଲା। ଆଉ ଜାତୀୟ ରାଜପଥର ବସ୍ତା ନିକଟରୁ କାର୍‌ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଟଙ୍କା ଜବତ କରାଯାଇଥିଲା। ଏସଟିଏଫ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୦ରୁ ଏବେ ସୁଦ୍ଧା ଏସଟିଏଫ୍ ୨୯ କେଜି ବ୍ରାଉନସୁଗାର, ୬୪ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଶହେରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର