ଭୁବନେଶ୍ବର : ରାଜ୍ୟରେ ଚାଲୁଥିବା ଏକ ବଡ଼ ବ୍ରାଉନସୁଗାର ନେଟୱର୍କର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍। ଏହି ରୢାକେଟ୍‌ ରାଜଧାନୀ ଭୁବନେଶ୍ବର ସମେତ ଅଧିକାଂଶ ଜିଲ୍ଲାରେ ବ୍ରାଉନସୁଗାର କାରବାର କରିଥାଏ। ରୢାକେଟ୍‌ର ମୁଖ୍ୟ ବାଲେଶ୍ବରର ସେକ୍ ଫକୀର ସମେତ ୫ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଅନ୍ୟମାନେ ହେଲେ ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରର ମହମ୍ମଦ ସୋହେଲ, ସେକ୍ ହଇବୁଲ, ବାଲେଶ୍ବର ଟାଉନର ତନ୍ମୟ କୁମାର ସାହୁ, ଭୁବନେଶ୍ବର ଇନଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ ନଗରର ସେକ୍ ସଗବା। ସେମାନଙ୍କ ନିକଟରୁ ୩୨୪ ଗ୍ରାମ ବ୍ରାଉନସୁଗାର( ଯାହାର ବଜାର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା), ୧ ଲକ୍ଷ ୮୪ ହଜାର ଟଙ୍କା, ଗୋଟିଏ କାର୍‌, ୪ଟି ବାଇକ୍, ଡେବିଟ କାର୍ଡ ଆଦି ଜବତ କରାଯାଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment

publive-image

ଆଜି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି, ଏହି ଗ୍ୟାଙ୍ଗ୍ ଦୀର୍ଘ ଦିନ ହେବ ରାଜ୍ୟରେ ବ୍ରାଉନସୁଗାର କାରବାର କରି ଆସୁଥିଲା। ଗ୍ୟାଙ୍ଗ୍‌ ଉପରେ ଏସଟିଏଫ୍‌ ନଜର ରଖିଥିଲା। ଆଜି ସେକ୍ ସଗବା ଓ ତନ୍ମୟ କଳିଙ୍ଗ ଷ୍ଟାଡିୟମ ପଛ ପଟ (ଜାତୀୟ ରାଜପଥ)ରେ ଏକ କାର୍‌ ଭିତରେ ବ୍ରାଉନସୁଗାର କାରବାରକୁ ନେଇ ମୂଲଚାଲ କରୁଥିଲେ। ଏହି ସମୟରେ ଏସଟିଏଫ୍‌କୁ ଖବର ମିଳିଥିଲା। ଦୁହିଁଙ୍କୁ ଏସଟିଏଫ୍‌ର ଅଧିକାରୀମାନେ କାବୁ କରି ନେଇଥିଲେ। ଯାଞ୍ଚବେଳେ କାର୍‌ ଭିତରୁ ୩୨୪ ଗ୍ରାମର ବ୍ରାଉନସୁଗାର ଓ ନଗଦ ଟଙ୍କା ଜବତ କରିଥିଲା। ସେମାନଙ୍କଠାରୁ ସୂଚନା ପାଇବା ପରେ ଏସଟିଏଫ୍ ବାଲେଶ୍ବରରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ଗିରଫ ହୋଇଥିବା ସେକ୍ ଫକୀର ହେଉଛି ରାଜ୍ୟର ଜଣେ ବଡ଼ ବ୍ରାଉନସୁଗାର ବେପାରୀ। ତା’ର ଅର୍ନ୍ତଜାତୀୟ ଲିଙ୍କ୍‌ ରହିଛି। ସେ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଦେଇ ବ୍ରାଉନସୁଗାର ଆଣିଥାଏ। ଏହାପରେ ବ୍ରାଉନସୁଗାର ମୁର୍ଶିଦାବାଦ, ମେଦୀନାପୁର, ବାଲେଶ୍ବର ଓ ଜଳେଶ୍ବର ହୋଇ ଭୁବନେଶ୍ବରରେ ପହଞ୍ଚାଇଥାଏ। ଏଠାରେ ଥିବା ଖୁଚୁରା ବେପାରୀମାନେ ତା’ଠାରୁ ବ୍ରାଉନସୁଗାର ନେଇ ବିକ୍ରି କରିଥାନ୍ତି। ତେଣୁ ଫକୀରକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଏସଟିଏଫ୍। ରିମାଣ୍ଡ ସମୟରେ ସେ ରାଜ୍ୟରେ କାହାକୁ ବ୍ରାଉନସୁଗାର ଯୋଗାଇଥାଏ, ତାର ବିଦେଶ ଲିଙ୍କ୍ ଓ ସାମ୍ରାଜ୍ୟ ସମ୍ପର୍କରେ ଖୋଳତାଡ଼ କରାଯିବ। ସେକ୍ ରାଜା ପରେ ସେକ୍ ଫକୀରକୁ ଏସଟିଏଫ୍ ଗିରଫ କରିଥିବାରୁ ରାଜ୍ୟରେ ବ୍ରାଉନସୁଗାର କାରବାର ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ ନିଶା କାରବାର ବିଶେଷକରି ବ୍ରାଉନ୍‌ସୁଗାର ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ। ଗତ ୧୩ ଦିନ ମଧ୍ୟରେ ଏସଟିଏଫ୍ ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଧା, ପିପିଲି, ଢେଙ୍କାନାଳ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୬ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୧୭ ଗ୍ରାମ୍‌ ବ୍ରାଉନ୍‌ସୁଗାର, ୧୦ ଲକ୍ଷ ଟଙ୍କା, ଗୋଟିଏ କାର୍‌, ୭ଟି ବାଇକ୍, ବ୍ୟାଙ୍କ ପାସବୁକ୍ ଆଦି ଜବତ କରିଛି।