ଭଦ୍ରକ :ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ରାଣୀତାଲ ଅଞ୍ଚଳରୁ ୫୧୬ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ।ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ଟି ମୋବାଇଲ, ୩ ଖଣ୍ଡା, ୩ ଜୀବନ୍ତ ଗୁଳି, ୩ ମାଗାଜିନ୍, ଗୋଟିଏ ମାଉଜର୍ ଏବଂ ୨ଟି ବାଇକ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଥିବ ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ମଧ୍ୟ ଅଛନ୍ତି। ଅଭିଯୁକ୍ତମାନେ ହେଲେ ଭଦ୍ରକ ସମରାଇପୁର ଅଞ୍ଚଳର ସରୋଜ ଦାସ (୩୩), ସୌଦାମିନୀ ଦାସ (୨୮) ଓ ପୂର୍ଣ୍ଣିମା ଦାସ (୨୫), ଭଦ୍ରକ ବେନ୍ତାଲ ଗ୍ରାମର ବିପିନ ଦାସ (୨୬), ଧୁଷୂରୀ ମଙ୍ଗଳପୁର ଅଞ୍ଚଳର ଅରୁଣ ମଲିକ (୩୨), ଚାନ୍ଦବାଲି ବ୍ଲକ ମଣିପୁର ଗ୍ରାମର ପ୍ରଶାନ୍ତ ଦାସ (୩୨) ଓ ଭଦ୍ରକ କୋର୍କରା ଗ୍ରାମର ଦେବାଶିଷ ବେହେରା (୨୯)।
ପୁଲିସ ସୂଚନା ମୁତାବକ, ସମ୍ପୃକ୍ତ ୭ ଜଣ ବହୁଦିନରୁ ଧଳାଜହର (ବ୍ରାଉନ୍ସୁଗାର) କାରବାରରେ ଲିପ୍ତ ଥିଲେ। ପୁଲିସ ସ୍କାନର୍ରେ ରହିଥିଲେ ମଧ୍ୟ ବେଶ୍ ସନ୍ତର୍ପଣରେ ନିଶା କାରବାର କରୁଥିବାରୁ ଧରାପଡୁ ନ ଥିଲେ। ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସର ଏକ ଟିମ୍ ରାଣୀତାଲ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରି ଧଳଜହର ସହିତ ମାରଣାସ୍ତ୍ର ଜବତ କରିଥିଲା। ପରେ ଭିନ୍ନ ଭିନ୍ନ ସ୍ଥାନରୁ ଅଭିଯୁକ୍ତମାନଙ୍କୁ ଉଠାଇ ଆଣି ଜେରା କରିଥିଲା ପୁଲିସ।
ପ୍ରକାଶଥାଉକି, ନିକଟରେ ଏସ୍ଟିଏଫ୍ ଭଦ୍ରକରୁ ଏକ କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ କରିଥିବାବେଳେ ପୁଲିସ ଏ ବାବଦରେ ବିନ୍ଦୁବିସର୍ଗ ସୂଚନା ପାଇପାରିନଥିଲା। ଏସ୍ଟିଏଫ୍ର କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲା ପୁଲିସ ଏବେ ନିଶା ବେପାରୀଙ୍କୁ ଧରିବାକୁ ଜାଲ ବିଛାଇବା ସହ ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରିଛି। ବ୍ରାଉନ୍ସୁଗାର ହେଉ କି ଅନ୍ୟ ନିଶା ଦ୍ରବ୍ୟ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭଦ୍ରକ ଏସ୍ପି ଚରଣ ସିଂ ମୀନା କହିଛନ୍ତି।