୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁରସଦର: ଯାଜପୁର ସହରର କିଆନାଳିକୂଳ ହରିଣ ଛକରୁ ଅବକାରୀ ବିଭାଗ ୪୫ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଯାଜପୁର ନହରାପୁର ଗ୍ରାମର ସେକ୍‌ ରାଜାଙ୍କ ପୁଅ ସେକ୍‌ ଅସ୍ମତ(୨୬)। ସୂଚନା ଅନୁଯାୟୀ ଯାଜପୁର ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ଅବକାରୀ ଥାନା ଏସ୍‌ଆଇ ପ୍ରଦୀପ କୁମାର ରଥ, ଏଏସ୍‌ଆଇ ଜୟପ୍ରକାଶ ବେଉରିଆ, ସଂଗ୍ରାମ କେଶରୀ କୁଅଁର, କନେଷ୍ଟବଳ ରାକେଶ ମୁର୍ମୁ, ସୌମ୍ୟରଞ୍ଜନ ସାହୁ, ପୂର୍ଣ୍ଣିମା ଘୋଷ କିଆନାଳିକୂଳ ଛକ ନିକଟରେ ଚଢ଼ଉ କରିଥିଲେ। ଅଭିଯୁକ୍ତ ସେକ୍‌ ଅସ୍ମତକୁ କାବୁ କରିବା ସହ ତା’ ନିକଟରୁ ୪୫ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ। ଅଭିଯୁକ୍ତକୁ ଅବକାରୀ ଥାନାକୁ ଆଣି ପଚରାଉଚରା କରାଯାଉଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଅଭିଯୁକ୍ତ ଯାଜପୁର ସହରର ବିଭିନ୍ନ ସ୍ଥାନରେ ବହୁଦିନ ହେଲା ବ୍ରାଉନସୁଗାର ବିକ୍ରି କରୁଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର