କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

ବାଇକ୍‌ରେ ବାଲେଶ୍ବରରୁ କଟକ ଚାଲାଣ

କଟକ/ମହାନଦୀବିହାର : କଟକ ସହରରେ ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଧରାପଡ଼ିଛି। ଲାଲବାଗ ଥାନା ସାହେବଜାଦା ବଜାର ନିକଟରେ ୬ ଅନ୍ତଃଜିଲ୍ଲା ମାଫିଆ ବ୍ରାଉନସୁଗାର କାରବାର କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଏମାନେ ଜଳେଶ୍ବରରୁ ବାଇକ ଯୋଗ କଟକ ବ୍ରାଉନସୁଗାର ଚାଲାଣ କରି ଆସୁଥିଲେ। ପୁଲିସ ହାତରେ ଧରାପଡ଼ିଥିବା ମାଫିଆଙ୍କ ତାଲିକାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ସନିଆ ଓରଫ ଦେବାଶିଷ ଦାସ(୨୩), ନାଉଗାଁ ଜାମୁଦଣ୍ଡାର ଉଲ୍ଲାସ ଚନ୍ଦ୍ର ଦାସ(୪୫), ବାଘା ଓରଫ ଲାରା ଭୋଇ(୨୫), କୁନା ଓରଫ ମୁନା ସାହୁ(୩୧), ପୁରୀ ଜିଲ୍ଲା ନିମାପଡ଼ାର ଟିକିନା ଓରଫ ଚତୁର୍ଭୁଜ ବାରିକ(୨୭) ଏବଂ ଲାଲବାଗ ସାହେବଜାଦ ବଜାରର ମୁନା ଓରଫ ରାହୁଲ ଓରଫ ମାନସ ଚାନ୍ଦ(୨୬)। ଜଳେଶ୍ବରରୁ କଟକ ଏବଂ କଟକରୁ ପଡ଼ୋଶୀ ଜିଲ୍ଲାକୁ ବ୍ରାଉନସୁଗାର ଚାଲାଣ ପଛରେ ସନିଆ କାର୍ପଟଦାର ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ଓ ପୁରୀ ଅଞ୍ଚଳର ବ୍ରାଉନସୁଗାର ମାଫିଆ ଗଲା ୮ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ସାହେବଜାଦା ବଜାର ଆରଏନଟି କଲେଜ ନିକଟରେ ଏକାଠି ହୋଇଥିଲେ। ଏମାନେ କଟକ ସହରର କିଛି ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନସୁଗାର ବିକ୍ରି କରିବା ଯୋଜନାରେ ଥିବା ବେଳେ ଲାଲବାଗ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଖବର ପାଇ ଚଢ଼ଉ କରିଥିଲା। ଏହି ୬ ଜଣିଆ ବ୍ରାଉନସୁଗାର ଗ୍ୟାଙ୍ଗ୍ ନିକଟରୁ ମୋଟ ୧ କେଜି ୧୫୯ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ୬ଟି ପଲିଥିନ୍ ପ୍ୟାକେଟରେ ଥିବା ବ୍ରାଉନସୁଗାର ସମେତ ୨ଟି ବାଇକ୍ ବି ପୁଲିସ ଏହି ଗ୍ୟାଙ୍ଗ ନିକଟରୁ ଜବତ କରିଛି। ଜବତ ବ୍ରାଉନସୁଗାରର ଆନ୍ତର୍ଜାତିକ ବଜାର ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷ ୫୯ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏମାନେ ମୁଖ୍ୟତଃ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ବ୍ରାଉନସୁଗାର ଚାଲାଣ କରିଆସୁଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରିୟଦର୍ଶୀଙ୍କ ସମେତ ଡିସିପି ପ୍ରତୀକ ସିଂହ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଚଢ଼ଉରେ ସ୍କେଶାଲ ସ୍କ୍ବାଡ ଏସିପି ଅଜୟ କୁମାର ଦାସଙ୍କ ସମେତ ଲାଲବାଗ ଥାନା ଆଇଆଇସି ରବି ନାରାୟଣ ଭଞ୍ଜ, ଲାଲବାଗ ଥାନା ଏସଆଇ ଅବିନାଶ ରାଉତ ଏବଂ ସ୍କ୍ବାଡର ୬ ଜଣିଆ ପୁଲିସ ଟିମ୍ ସାମିଲ ହୋଇଥିଲା। ଅନ୍ୟପଟେ କମିସନରେଟ୍ ପୁଲିସର ଏକ ୪ ଜଣିଆ ଟିମ୍ ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗର ମେଦିନୀପୁର ଓ ଛବିଶପ୍ରଗଣା ଗସ୍ତ କରିଛି। ବାଙ୍ଗଲାଦେଶୀ ଶରଣାର୍ଥୀ କଲିକତାରେ ରହି ଆଫଗାନିସ୍ତାନରୁ ବାଙ୍ଗଲାଦେଶ ଓ ସେଠାରୁ ସୁନ୍ଦରବନ ରାସ୍ତାରେ କଲିକତା ବ୍ରାଉନସୁଗାର ଚାଲାଣ କରୁଛନ୍ତି। ସେଠୁ ବାଲେଶ୍ବର ଜିଲ୍ଲା ଜଳେଶ୍ବରକୁ ଚାଲାଣ ହେଉଥିବା ବେଳେ ଜଳେଶ୍ବରରୁ ଓଡ଼ିଶାର ବ୍ରାଉନସୁଗାର ମାଫିଆ କଟକ ସମେତ ଅନ୍ୟ ଉପକୂଳ ଜିଲ୍ଲାକୁ ଚାଲାଣ କରୁଥିବା ପୁଲିସ ସୂଚନା ପାଇଛି। ମୁଖ୍ୟ କାର୍ପଟଦାରଙ୍କୁ ପୁଲିସ ଗିରଫ କରିବାକୁ କଟକ କମିସନରେଟ୍ ପୁଲିସ ଟିମ୍ କଲିକତା ଯାଇଥିବା ସୂଚନା ମିଳିଛି।

୮ ମାସରେ ୪ କୋଟି ୬୩ ଲକ୍ଷର ନିଶାଦ୍ରବ୍ୟ ଜବତ
କଟକ କମିସନରେଟ୍ ପୁଲିସ ଚଳିତ ବର୍ଷ କେବଳ ବ୍ରାଉନସୁଗାର ଓ ଗଞ୍ଜେଇ ମାମଲାରେ ମୋଟ ୩୯ ଜଣ ମାଫିଆଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ୪ କୋଟି ୬୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ ହୋଇଛି। ଆଜିର ଲାଲବାଗ ଥାନା ପୁଲିସର ମାମଲାକୁ ମିଶାଇ ମୋଟ ୪ କେଜି ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪ କୋଟି ୨୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି କାରବାରରେ ପୁଲିସ ମୋଟ ୨୨ ଜଣଙ୍କୁ ଗିରଫ କରିଛି। ଜଗତପୁର ଥାନାରେ ସର୍ବାଧିକ ଦୁଇଟି ମାମଲା ହୋଇଥିବା ବେଳେ ବିଡାନାସୀ, ମର୍କତନଗର, କନ୍ଦରପୁର, ସିଡିଏ ଫେଜ୍-୨ ଓ ଲାଲବାଗ ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି। ସେହିଭଳି ଗଞ୍ଜେଇ ଚଳିତ ବର୍ଷ ୬୭୭ କେଜି ୨୭୫ ଗ୍ରାମ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏଭଳି ବେଆଇନ କାରବାର ମାମଲାରେ ପୁଲିସ ମୋଟ ୧୭ ଜଣଙ୍କୁ ଗିରଫ କରିସାରିଲାଣି। ଚାଉଳିଆଗଞ୍ଜ ଥାନା, ବିଡାନାସୀ, ଲାଲବାଗ ଥାନା ଦୁଇଟି ଲେଖାଏ ଗଞ୍ଜେଇ ମାମଲା କରିଥିବା ବେଳେ ସଦର, ମାଲଗୋଦାମ, ଜଗତପୁର ଗୋଟିଏ ଲେଖାଏ ମାମଲା କରିଛି।

ସମ୍ବନ୍ଧିତ ଖବର