ବ୍ରାଉନସୁଗାରର ‘ହୋମ୍ ଡେଲିଭରି’ : ଗ୍ୟାଙ୍ଗ୍‌ ଲିଡର୍‌ ଗିରଫ, ୨୮ ଲକ୍ଷର ପାଉଡର ଜବତ

କଟକ : ଲକ୍‌ଡାଉନ୍‌ରେ ମଦ ପରି ବ୍ରାଉନସୁଗାରର ବି ଆରମ୍ଭ ହେଲାଣି ହୋମ୍ ଡେଲିଭରି। କଟକର ଜଣେ ଗ୍ରାଜୁଏଟ୍ ଯୁବକ ଫୋନରେ ବ୍ରାଉନସୁଗାର ଅର୍ଡର୍ ରଖି ଘରେ ହୋମ୍ ଡେଲିଭରି କରୁଥିବା ଘଟଣା ସାମ୍‌ନାକୁ ଆସିଛି। ଏହି ବ୍ରାଉନସୁଗାର ବେପାରୀକୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି।

ଅଭିଯୁକ୍ତ ଯୁବକ ସାଲେପୁର ବଳଭଦ୍ରପୁରର କର୍ଣ୍ଣ ଚନ୍ଦ୍ର ଦାସ(୨୯)। ତା’ ନିକଟରୁ ମୋଟ ୨୮ ଲକ୍ଷ ଟଙ୍କାର ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। କିନ୍ତୁ ପ୍ରାୟ ୭୨ ଲକ୍ଷ ଟଙ୍କାର ବ୍ରାଉନସୁଗାରକୁ ସେ କେଉଁଠାରେ ଲୁଚାଇ ରଖିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ। ଅନ୍ୟପଟେ ବ୍ରାଉନସୁଗାର ଚାଲାଣରେ ବ୍ୟବହାର ହେଉଥିବା କର୍ଣ୍ଣର ଏକ ବାଇକ (ଓଡି ୦୫ ଏପି ୯୪୫୩) ଜବତ କରାଯାଇଛି।

www.fmgente.com.uy

ସୂଚନା ଅନୁଯାୟୀ, କର୍ଣ୍ଣ ଗଲା ଏକ ବର୍ଷ ହେବ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି କଟକର ମାଛୁଆବଜାର, ଗାନ୍ଧୀପଲ୍ଲୀ, ବୋସ୍ ସ୍କୁଲ ପଡ଼ିଆ, ହାଡ଼ିଆ ପଠା, ଭୁବନେଶ୍ବରର ସାଲିଆ ସାହି, ଖୋର୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ହୋମ୍ ଡେଲିଭରି କରୁଥିଲା। ତେବେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତାକୁ ଗଲା ୧୫ ଦିନ ହେବ ନଜରରେ ରଖିଥିଲା। ଆଜି ଭୋର ପ୍ରାୟ ୪ଟା ୩୦ ବେଳେ ବିଭାଗର ଜଣେ ଅବକାରୀ କନଷ୍ଟେବଳ ଗ୍ରାହକ ପରିଚୟରେ କର୍ଣ୍ଣକୁ ଫୋନ୍ କରିଥିଲେ। ଯୋଜନା ମୁତାବକ ଜଗତପୁର ପୀର ବଜାର ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ସାମ୍‌ନାରେ ବ୍ରାଉନସୁଗାର କିଣିବାକୁ ଆସିଥିଲେ ଅବକାରୀ ଟିମ୍। କର୍ଣ୍ଣ ସେଠାରେ ପହଞ୍ଚିବା ପରେ ତାକୁ ମାଡ଼ି ବସିଥିଲେ। ତା ପାଖରୁ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଳେଶ୍ବରରୁ ସେ ଲକ୍‌ଡାଉନ୍‌ ସମୟରେ ୧ କେଜି ବ୍ରାଉନସୁଗାର ଆଣିଥିବା ଜେରା ସମୟରେ ସୂଚନା ଦେଇଥିଲା। ୧ କେଜି ବ୍ରାଉନସୁଗାର ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରୁଛି। ତେବେ ଅବଶିଷ୍ଟ ୭୨୫ ଗ୍ରାମ୍ ବ୍ରାଉନସୁଗାରର ବର୍ତ୍ତମାନ ସୁଦ୍ଧା ହିସାବ ମିଳୁନାହିଁ। କର୍ଣ୍ଣ ବ୍ରାଉନସୁଗାର କେଉଁଠାରେ ଲୁଚାଇ ରଖିଥିବା କୁହାଯାଉଛି। କର୍ଣ୍ଣ ଗ୍ୟାଙ୍ଗରେ ଆହୁରି ୬ ଜଣ ମାଫିଆ ଅଛନ୍ତି। ସେମାନଙ୍କୁ ଏବେ ଅବକାରୀ ବିଭାଗ ଧରିବାକୁ ତନାଘନା ଚଳାଇଛି। ଏମାନେ ସମସ୍ତେ କଲେଜ ଛାତ୍ର ବୋଲି ସୂଚନା ମିଳିଛି। କର୍ଣ୍ଣର ଖୁଚୁରା ଗ୍ରାହକ ବି ଥିଲେ। ପୁଡ଼ିଆ ପିଛା ୬୦୦ ଟଙ୍କା ଏବଂ ଗ୍ରାମ୍ ପିଛା ୨୬ ଶହ ଟଙ୍କାରେ ବ୍ରାଉନସୁଗାର ବିକ୍ରି କରୁଥିଲା। ତେବେ ଗଲା ୯ ଦିନ ଭିତରେ ଆଜିକୁ ମିଶାଇ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ମୋଟ ୪୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିସାରିଲାଣି।

ମେ ୩୧ ତାରିଖରେ ଖୋର୍ଧା ଜଟଣୀରୁ ୨୬ ବର୍ଷିୟ ମାଟ୍ରିକ୍ ଫେଲ୍ ମାଫିଆ ସେକ୍ ଫରିଦ ନିକଟରୁ ୧୧ ଲକ୍ଷ ଟଙ୍କାର ୧୦୫ ଗ୍ରାମ୍ ବ୍ରାଉନସୁଗାର ଓ ବନ୍ଧୁକ ଜବତ କରାଯାଇଥିଲା। ହୋମ୍‌ ଡେଲିଭରି ପାଇଁ ଗଲାବେଳେ ଫରିଦ୍ ବନ୍ଧୁକ ନେଇ ଯାଉଥିଲା। ଜୁନ୍ ୩ ତାରିଖରେ ଭଦ୍ରକରୁ ଯୁକ୍ତ ୩ ଛାତ୍ର ଆଶିଷ କୁମାର ମଲ୍ଲିକ ଏବଂ ବଂଶୀଧର ନାଥଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ୪୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଥିଲା। ଅବକାରୀ କମିସନର ଅଞ୍ଜନ କୁମାର ମାଣିକ ଏବଂ ଡେପୁଟି କମିସନର ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶରେ ଆଇଆଇସି ଜଗତୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ବରେ ଅବକାରୀ ଟିମ୍ ଚଢ଼ଉ କରି କର୍ଣ୍ଣକୁ ଗିରଫ କରିଛି।

ସମ୍ବନ୍ଧିତ ଖବର