ବୁଗୁଡ଼ା: କିଛି ଦିନ ତଳେ ଭୁବନେଶ୍ବରରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ ଘଟଣାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ଗୁଳିକାଣ୍ଡ ଘଟିଛି। ଆଜି ଭୋର୍ରେ ବୁଗୁଡ଼ା ସହରଠାରୁ ୨ କିଲୋମିଟର ଦୂର କୁବରେଶ୍ବର ମନ୍ଦିର ନିକଟରେ ଗୁଳିମାଡ଼ରେ ନୟାଗଡ଼ ଜିଲ୍ଲା କଳାପଥର ନିକଟ ମାଣିକପଡ଼ା ଗ୍ରାମର ରଞ୍ଜନ ଦଳେଇ ଗୁରୁତର ହୋଇଛନ୍ତି। ରଞ୍ଜନଙ୍କୁ ତାଙ୍କ ସାଙ୍ଗ ତଥା ବୁଗୁଡ଼ା ଥାନା ଅଧୀନ ଜଗତପାଟଣା ଗ୍ରାମର ଅର୍ଜୁନ କର ଓରଫ୍ ମୁନା ହିଁ ଗୁଳି କରିଥିବା ଜଣାପଡ଼ିଛି। ରଞ୍ଜନଙ୍କୁ ବୁଗୁଡ଼ା ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅର୍ଜୁନ ଫେରାର୍ ହୋଇ ଯାଇଥିବା ବେଳେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ଚିତ୍ତରଂଜନ ବେହେରା କହିଛନ୍ତି।
ଗୁରୁତର ରଞ୍ଜନଙ୍କ ନାଁରେ ହତ୍ୟା ଓ ଡକାୟତି ଭଳି ଅନେକ ସଂଗିନ ମାମଲା ରହିଛି। ସେହିପରି ଅର୍ଜୁନ ପୂର୍ବରୁ ବ୍ରହ୍ମପୁରର ଜଣେ ଗାଡ଼ି ସୋ’ରୁମ୍ ମାଲିକଙ୍କୁ ଗୁଳି କରିବା ଘଟଣାରେ ଜେଲ୍ ଯାଇ ଜାମିନରେ ଫେରିଥିଲା। ପରେ ଖୋର୍ଦ୍ଧା ଜିଲ୍ଲାର ଏକ ବ୍ୟାଙ୍କ୍ ଡକାୟତି ମାମଲାରେ ସେ ପୁଣି ଜେଲ୍ ଯାଇଥିଲା। ଜେଲ୍ରେ ଥିବା ସମୟରେ ରଞ୍ଜନ ଓ ଅର୍ଜୁନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ଉଭୟ ଜାମିନ ପାଇ ଭୁବନେଶ୍ବର ଆସି ବ୍ରାଉନସୁଗାର ବ୍ୟବସାୟରେ ଲିପ୍ତ ରହିଥିଲେ। ହେଲେ ଗତ କିଛି ଦିନ ତଳେ ଭୁବନେଶ୍ବର ପୁଲିସ ଚଢ଼ଉ କରି ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ କରିବା ସହ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରେ ଅର୍ଜୁନର ଭଣଜା ଥିଲା। ଭଣଜା ଗିରଫ ହେବା ପଛରେ ରଞ୍ଜନଙ୍କ ହାତ ଅଛି ବୋଲି ଅର୍ଜୁନ ଭାବି ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା। ଅର୍ଜୁନ ନିଜ ଗାଁ ବୁଗୁଡ଼ା ଆସିଥିବା ବେଳେ ରଞ୍ଜନ ମଧ୍ୟ କିଛି ସାଙ୍ଗମାନଙ୍କ ସହ ୩ ଦିନ ହେଲା ବୁଗୁଡ଼ା ଫେରିଥିଲେ।
ଗତକାଲି ରାତିରେ ରଞ୍ଜନ ଓ ଅର୍ଜୁନ ଏକାଠି ହୋଇଥିଲେ। ବ୍ରାଉନ୍ ସୁଗାର ବେପାରରେ ‘ତୁ ମୋର ଭଣଜାକୁ କାହିଁକୁ ଫସାଇଦେଲୁ’ ବୋଲି ରଞ୍ଜନଙ୍କ ସହ ଅର୍ଜୁନ ଯୁକ୍ତିତର୍କ କରିଥିଲା। ରଞ୍ଜନ ଅଭିଯୋଗକୁ ଖଣ୍ଡନ କରିଥିଲେ। ହେଲେ ପ୍ରମାଣ କରିବା ଲାଗି ରଞ୍ଜନଙ୍କୁ ଅର୍ଜୁନ ବୁଗୁଡ଼ା ସହରଠାରୁ ୨ କିମି ଦୂରରେ ଥିବା କୁବରେଶ୍ବର ମନ୍ଦିରକୁ ଡାକି ନେଇଥିଲା। ମନ୍ଦିର ପ୍ରାଙ୍ଗଣରେ ଉଭୟଙ୍କ ମଧ୍ୟରେ ପୁଣି ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଅର୍ଜୁନ ଉତ୍କ୍ଷିପ୍ତ ହୋଇ ରଞ୍ଜନଙ୍କ ଛାତି ତଳକୁ ଗୋଟିଏ ରାଉଣ୍ଡ୍ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ରଞ୍ଜନଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ବୁଗୁଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/fhfsh7sf98h7sf8h9sfhsfhsfhhff.jpg)