ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ବୁଧବାର ଦିନ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ପୁଣି ଜଣେ ବଡ଼ ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରିଛି। ପୂର୍ବରୁ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜାମିନ୍ରେ ଆସି ଧଳାଜହର କାରବାର କରୁଥିବା ଏହି ଯୁବକ ହେଲା ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ଧାରୁଆରର ରାକେଶ ସାମନ୍ତରାୟ। ତା’ଠାରୁ ୨କେଜି ୨୦ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ଏଥିସହିତ ତା’ଠାରୁ ଗୋଟିଏ ଛୁରି ଜବତ କରାଯାଇଛି।
ସୂଚନା ମୁତାବକ ରାକେଶ ଜଣେ ହତ୍ୟା ଅଭିଯୁକ୍ତ। ୨୦୧୮ ମସିହାରେ ଖଣ୍ଡଗିରିରେ ହୋଇଥିବା ଏକ ହତ୍ୟା ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲା ଏବଂ ପରେ ସର୍ତ୍ତମୂଳକ ଜାମିନ୍ ପାଇ ଜେଲ୍ରୁ ମୁକୁଳିଥିଲା। ଏହା ପରଠାରୁ ସେ ଧଳାଜହର ବେପାରକୁ ଆପଣେଇଥିଲା। ରାକେଶ ନିଜେ ବାଲେଶ୍ବରରୁ ବ୍ରାଉନ୍ସୁଗାର ଆଣି ରାଜଧାନୀ ସମେତ ଜଟଣୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଅଞ୍ଚଳକୁ ଚାଲାଣ କରୁଥିଲା। ରାକେଶ ସମ୍ପର୍କରେ ଜାଣିବା ପରେ ଏସ୍ଟିଏଫ୍ ତାକୁ ରେଡ୍ ହ୍ୟାଣ୍ଡେଡ୍ ଧରିବା ପାଇଁ ପ୍ରସ୍ତୁତି ଚଳାଇଥିଲା। ମଙ୍ଗଳବାର ସେ ବିପୁଳ ପରିମାଣର ବ୍ରାଉନ୍ସୁଗାର ଆଣି ନୟାଗଡ଼ ଯିବା ପାଇଁ ଯୋଜନା କରୁଥିବା ନେଇ ଖବର ପାଇବା ପରେ ଏସ୍ଟିଏଫ୍ ଟିମ୍ ଖୋର୍ଦ୍ଧା ନିକଟରେ ଜଗିରହିଥିଲା। ଏସ୍ଟିଏଫ୍ ଓ ଖୋର୍ଦ୍ଧା ପୁଲିସ ମିଳିତ ଚଢ଼ଉ କରି ଖୋର୍ଦ୍ଧା-ଜଟଣୀ ବାଇପାସ୍ ଓଭରବ୍ରିଜ୍ ନିକଟରେ ତାକୁ କାବୁ କରିଥିଲେ।
ସୂଚନା ଥାଉକି, ୨୦୨୦ରୁ ଆରମ୍ଭ ହୋଇଥିବା ଏସ୍ଟିଏଫ୍ର ଏହି ସ୍ୱତନ୍ତ୍ର ଅଭିଯାନରେ ଏ ପର୍ଯ୍ୟନ୍ତ ୬୧ କେଜିରୁ ଅଧିକ ପରିମାଣର ହେରୋଇନ୍ ଓ ବ୍ରାଉନ୍ସୁଗାର ଜବତ କରାଯାଇଛି। ସେହିପରି ୨୦୨ ଗ୍ରାମ୍ ଓଜନର କୋକେନ୍, ୧୧୧ କ୍ୱିଣ୍ଟାଲ ଗଞ୍ଜେଇ ଓ ଭାଙ୍ଗ, ୭୫୦ ଗ୍ରାମ ଅଫିମ ମଧ୍ୟ ଜବତ କରାଯାଇଛି। ଏସବୁ ନିଶା ବ୍ୟବସାୟରେ ସମ୍ପୃକ୍ତ ୧୬୩ ଜଣଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/brown-sugar-aaa.jpg)