କଟକ/ଜଳେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଆଫଗାନିସ୍ତାନ୍ ବ୍ରାଉନସୁଗାର ଲିଙ୍କ୍ ଲାଗିଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ବାଲେଶ୍ବର ଜିଲ୍ଲା ଜାମଲପୁର ଅଞ୍ଚଳରେ ବ୍ରାଉନସୁଗାର ମାଫିଆଙ୍କ ଆଡ୍ଡାରେ ବୁଧବାର ରାତିରେ ଚଢ଼ଉ ହୋଇଥିଲା। ତଦନ୍ତରୁ ଅନ୍ତର୍ଜାତୀୟ ବ୍ରାଉନସୁଗାର କାରବାର ସାମ୍ନାକୁ ଆସିଛି। ଏସଟିଏଫ୍ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ କରିଛି। ମାଫିଆ ଚାଲାଣ କରୁଥିବା ୪ କେଜି ୨୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪ କୋଟି ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ ଆକଳନ କରୁଛି। ଚଳିତ ବର୍ଷ ଲକ୍ ଡାଉନ ସମୟରେ ଏସଟିଏଫ୍ ହାତରେ ୨୦ କୋଟି ୭୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାପଡ଼ିଲାଣି। ଯାହାକି ବିଗତ ୮ ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ବୁଧବାର ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧିନ ଜମଲପୁର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା। ୨ ବ୍ରାଉନସୁଗାର ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯାଇଛି। ଆଫଗାନିସ୍ତାନରୁ ବ୍ରାଉନସୁଗାର କଲିକତା ଚାଲାଣ ହେଉଥିବା କୁହାଯାଉଛି। ସେଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆସୁଛି। ଆଫଗାନିସ୍ଥାନରେ ବ୍ରାଉନସୁଗାର କେଜି ପିଛା ଅଢ଼େଇ ଲକ୍ଷ ଟଙ୍କାରେ ଆମଦାନୀ ହେଉଥିବା ବେଳେ ଓଡ଼ିଶା ବଜାରରେ କୋଟିଏ ଟଙ୍କାରେ ବିକ୍ରି ହେଉଥିବା ଏସଟିଏଫ୍ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ଡିଜି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ୨୦୨୦ରେ ଲକ୍ ଡାଉନ ସମୟରେ ଏସଟିଏଫ୍ ମୋଟ ୨୦ କେଜି ୭୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୦ କୋଟି ୭୫ ଲକ୍ଷ ଟଙ୍କା। ବର୍ତ୍ତମାନ ସୁଦ୍ଧାର ୨୨ଟି ମାମଲା ରୁଜୁ କରାଯାଇଛି। ୪୩ ଜଣ ବ୍ରାଉନସୁଗାର ମାଫିଆଙ୍କୁ ଏସଟିଏଫ୍ ଗିରଫ କରିଛି। ୨୦୨୦ ମାର୍ଚ୍ଚ ୧୧ ତାରିଖରେ ୧ କେଜି ୭୪୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ମାର୍ଚ୍ଚ ୧୯ ତାରିଖରେ ୨ କେଜି ୭୨୯ ଗ୍ରାମ, ଜୁନ ୨ ତାରିଖରେ ୧ କେଜି ୮ ଗ୍ରାମ, ଜୁନ ୧୯ ତାରିଖରେ ୪ କେଜି ୪୫୮ ଗ୍ରାମ, ଜୁଲାଇ ୧୯ ତାରିଖରେ ୩ କେଜି ୨୮୫ ଗ୍ରାମ, ଅଗଷ୍ଟ ୧୭ ଓ ୧୮ ତାରିଖରେ କେଜି ୩୨୦ ଗ୍ରାମ ଓ ଆଜି ୪ କେଜି ୨୫ ଗ୍ରାମ ଜବତ କରାଯାଇଛି। ଏବେ ଗିରଫ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ସେମାନଙ୍କୁ ଏସଟିଏଫ୍ ରିମାଣ୍ଡରେ ଆଣି ଅନ୍ତର୍ଜାତୀୟ ବ୍ରାଉନସୁଗାର ଲିଙ୍କ୍ ଖୋଳତାଡ଼ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।