ବ୍ରାଉନସୁଗାର ଜବତ, ଜଣେ ଗିରଫ

ବ୍ୟାସନଗର/ଦାନଗଦୀ : ଯାଜପୁରରୋଡ ଥାନା ଅନ୍ତର୍ଗତ ଦାନଗଦୀ ହାଟରୁ ଗତକାଲି ବିଳମ୍ବିତ ରାତିରେ ଯାଜପୁରରୋଡ ପୁଲିସ ୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ହାଟରେ ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ଅଞ୍ଚଳର ଝାଡ଼େଶ୍ବର ସାହୁଙ୍କ ପୁଅ ଦେବବ୍ରତ(୨୮)। ପୁଲିସ ଦେବବ୍ରତକୁ ଗିରଫ କରିବା ପରେ ତା’ ନିକଟରୁ ୫୦ ପୁଡ଼ିଆ ବ୍ରାଉନସୁଗାର ଓ ୩୮ଶହ ଟଙ୍କା ଜବତ କରିଥିଲା।

ଅଭିଯୁକ୍ତ ଦେବବ୍ରତ ଦାନଗଦୀ ହାଟରେ ଏକ ଭଡ଼ା ଘରେ ରହୁଥିଲା। ବାଲେଶ୍ବରରୁ ସପ୍ତାହରେ ୪ଦିନ ବ୍ରାଉନସୁଗାର ଆଣି ଅଭିଯୁକ୍ତ ଯାଜପୁରରୋଡ ଓ ଦାନଗଦୀ ଅଞ୍ଚଳରେ ବିକ୍ରି କରୁଥିଲା। ଗତକାଲି ରାତି ପ୍ରାୟ ୧୦ ଟା ବେଳେ ଅଭିଯୁକ୍ତ ବ୍ରାଉନସୁଗାର ବିକ୍ରି କରୁଥିବା ଯାଜପୁରରୋଡ ପୁଲିସକୁ ସୂଚନା ମିଳିଥିଲା। ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ନିର୍ଦେଶରେ ଏସଆଇ ପବିତ୍ର କୁମାର ମହାରଣା, ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳ ଚଢ଼ଉ କରି ଅଭିଯୁକ୍ତ ଦେବବ୍ରତକୁ ଗିରଫ କରିଥିଲେ। ତା’ ନିକଟରୁ ୫୦ଟି ପୁଡ଼ିଆ ବ୍ରାଉନସୁଗାର ଜବତ କରାଯାଇଥିଲା। ପରେ ତା’ ଭଡ଼ାଘରୁ ପୁଲିସ ଆଉ ୪ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ହେଲେ ଅନ୍ୟ ଦୁଇ ନିଶା ବେପାରୀ କୌଶଳ କ୍ରମେ ଖସି ପଳାଇ ଯାଇଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବବୋଲି ପୁଲିସ ସୂଚନା ଦେଇଛି। ଥାନା କେସ୍‌ ନମ୍ବର ୭୯/୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର