ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ : ବୁଧବାର ଦିନ ଭଦ୍ରକ ପୁଲିସ ରାଣୀତାଲ ଅଞ୍ଚଳରୁ ୩୧ ଲକ୍ଷ ଟଙ୍କାର ବ୍ରା‌ଉନ ସୁଗାର ଜବତ କରି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ପୁଣି କଟକର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ଚରମ୍ପା ବଉଳପୋଖରୀ ନିକଟରୁ ଜଣେ ଯୁବକଙ୍କ ନିକଟରୁ ୧୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ।

ଚରମ୍ପା ବଉଳପୋଖରୀର ରଘୁ ମଲ୍ଲିକ(୨୨) ବହୁଦିନ ଧରି ବ୍ରାଉନସୁଗାର କାରବାର ଚଳାଇ ଆସୁଥିଲା। ତାର ଏହି କଳା କା‌ରନାମା ସମ୍ପର୍କରେ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଆଜି ଚଢ଼ଉ କରି ରଘୁକୁ ଗିରଫ କରିଛି। ରଘୁ ସହ ଅନ୍ୟ କେଉଁମାନେ କାରବାରରେ ସଂପୃକ୍ତ ସେ ନେଇ ଖୋଳତାଡ଼ ଚଳାଇଛି ବିଭାଗ। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଉଛି। ବ୍ରାଉନ୍‌ସୁଗାର ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲା। ଅବକାରୀ ବିଭାଗଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗର ବାରମ୍ବାର ଚଢ଼ଉ ପରେ ମଧ୍ୟ ଜିଲ୍ଲାରେ ବ୍ରାଉନସୁଗାର କାରବାର ରୋକା ଯାଇପାରୁନି।

ସମ୍ବନ୍ଧିତ ଖବର