‌ସୋର : ନିଶା କାରବାରର ହବ୍‌ ପାଲଟିବା ବାଲେଶ୍ବର ଜିଲ୍ଲାରୁ ପୁଣି ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ ହୋଇଛି। ଆଜି ସୋରଠାରୁ ଏସ୍‌ଟିଏଫ୍‌ କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ କରିଥିବାବେଳେ ଜଣକୁ ଗିରଫ କରିଛି।

Advertisment

ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଉତ୍ତରେଶ୍ବରଠାରେ ଥିବା ଏକ ହୋଟେଲ୍‌ ନିକଟରେ ଧଳାଜହର କାରବାର ନେଇ ଭୁବନେଶ୍ବର ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ସୂଚନା ଆଧାରରେ ଇନ୍ସପେକ୍ଟର ସୁନିତା ପ୍ରଧାନଙ୍କ ନେତୃତ୍ବରେ ଇନ୍‌ପେକ୍ଟର ଆଶିଷ ଜେନା, ଜଗନ୍ନାଥ ସାହୁ ଓ କନେଷ୍ଟବଳ କୁବେର ବେହେରାଙ୍କୁ ନେଇ ଗଠିତ ଏସ୍‌ଟିଏଫ୍‌ର ଏକ ଟିମ୍‌ ଗତକାଲି ରାତିରେ ହୋଟେଲ ନିକଟରେ ସଜାଗ ଥିଲେ। କାରବାର ସମୟରେ ସୋର ପୌରପାଳିକା ଅନ୍ତର୍ଗତ କାଜିମହଲା ଗ୍ରାମର ସେକ୍ ବାବୁ ଓରଫ କଲିମ୍‌ ୧ କିଲୋ ୧୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ଧରାପଡ଼ିଥିଲେ। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପାଖାପାଖି ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସ୍‌ଟିଏଫ୍ ଟିମ୍‌ ବାବୁଙ୍କୁ ଗିରଫ କରି ଭୁବନେଶ୍ବର ନେଇ ଯାଇଥିବା ଜଣାପଡ଼ିଛି।