ପୁଲିସର ଅପରେସନ ବ୍ରାଉନସୁଗାର : ବାଲେଶ୍ୱର ପରେ ଏବେ ଟାର୍ଗେଟ୍‌ରେ ଜଳେଶ୍ୱର

ଧଳା ଜହର ସହ ଅଳଙ୍କାର, ସିସି କ୍ୟାମେରା ଓ ଟଙ୍କା ଜବତ, ଖଡ଼ଗପୁରରୁ ବି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଜଣେ ଗିରଫ

ବାଲେଶ୍ବର : ବେଆଇନ ନିଶା କାରବାର ପାଇଁ ଜିଲ୍ଲା ପୁଲିସର ସ୍ବତନ୍ତ୍ର ଟିମ୍‌ ବାଲେଶ୍ବର ଅରଡ଼ବଜାର ପରେ ଏବେ ଜଳେଶ୍ବରକୁ ଟାର୍ଗେଟ୍‌ କରିଛି। ଆଜି ରାଜପୁର ସ୍ଥିତ ସେକ ତୈରୁଦ୍ଦିନଙ୍କ ଘରେ ଚଢ଼ଉ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ସେଠାରେ ଲାଗିଥିବା ସିସି କ୍ୟାମେରା, ହାର୍ଡଡିସ୍କ, ନଗଦ ଟଙ୍କା, ଅଳଙ୍କାର ଓ ଗାଡ଼ି ଜବତ ‌ହୋଇଛି। ସେହିପରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସ୍ପେସାଲ୍‌ ଟିମ୍‌ ହାତରେ ଲାଗିଥିବା ଜଣାପଡ଼ିଛି।

ପୂର୍ବ ‌ଯୋଜନା ଅନୁସାରେ ଆଜି ସକାଳେ ସ୍ବତନ୍ତ୍ର ଡିଏସ୍‌ପି ମନୋଜ କୁମାର ରାଉତଙ୍କ ନେତୃତ୍ବରେ ଏଏସ୍‌ଆଇ ଦିଲ୍ଲୀପ କୁମାର ସାମଲ ଓ ଏଏସ୍‌ଆଇ ବିରଞ୍ଚି ସାହୁଙ୍କ ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ଜଳେଶ୍ବର ଥାନା ରାଜପୁର ଗ୍ରାମରେ ପହଞ୍ଚିଥିଲେ। ସେଠାରେ ସେକ୍‌ ତୈରୁଦ୍ଦିନଙ୍କ ଘରେ ଅଚାନକ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବ୍ରାଉନସୁଗାର ଜବତ ହୋଇଥିଲା। ଏହାଛଡ଼ା ତୈରୁଦ୍ଦିନଙ୍କ ଘରୁ ନଗଦ ୩ ଲକ୍ଷ ୮୯ ହଜାର ୪ ଶହ ଟଙ୍କା, ସୁନା ଅଳଙ୍କାର ଓ ଏକ ନମ୍ବରବିହୀନ ନୂଆ ବୁଲେଟ ମଧ୍ୟ ଜବତ କରାଯାଇଛି। ଏହି ସମୟରେ ତୈରୁଦ୍ଦିନ ଘର ଚାରିପାଖରେ ଲଗାଇଥିବା ସିସି କ୍ୟାମେରା ତଥା ହାର୍ଡଡିସ୍କକୁ ଟିମ୍‌ ସାଙ୍ଗରେ ନେଇଯାଇଛି। ସେହିପରି ଜଳେଶ୍ବର ସ୍ଥିତ ସାଇ ହିରୋ ସୋ’ରୁମ୍‌ ନିକଟରେ ଥିବା ସେକ୍‌ ତୈରୁଦ୍ଦିନର ଏକ ବହୁତଳ ପ୍ରାସାଦ ଉପରେ ବି ପୁଲିସ ଚଢଉ କରିଛି। ଅନ୍ୟପଟେ ତୈରୁଦ୍ଦିନର ଜଣେ ସମ୍ପର୍କୀୟ ପୁତୁରା ଏସ୍‌କେ ସାହିଦ୍‌କୁ ଧରି ଜ‌େଳଶ୍ବର ଥାନାରେ ଅଟକ ରଖାଯିବା ସହ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।

ସେହିପରି ଖଡ଼ଗପୁର ରେଳଷ୍ଟେସନରେ ରେଲୱେ ପୁଲିସ ଦ୍ବାରା ଆଜି ୩ ଶହ ଗ୍ରାମର ବ୍ରାଉନସୁଗାର ସହ ଜଣେ ଯୁବକ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ରାଜପୁର ଗ୍ରାମର ସେକ ରଫିବୁଲ ବୋଲି ଜଣାପଡ଼ିଛି। ରଫିବୁଲ ଆଜି ଜଳେଶ୍ବରରୁ ଏହି ବ୍ରାଉନସୁଗାର ନେଇ ଖଡ଼ଗପୁର ଯାଇଥିବାବେଳେ ରେଲୱେ ପୁଲିସ ଗିରଫ କରିଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ରଫିବୁଲ ଜଳେଶ୍ବର ଅଞ୍ଚଳର ଜଣେ କୁଖ୍ୟାତ ବ୍ରାଉନସୁଗାର ବେପାରୀଙ୍କ ସମ୍ପର୍କୀୟ ଜ୍ବାଇଁ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ; ସେକ ତୈରୁଦ୍ଦିନଙ୍କ ଜଣେ ସମ୍ପର୍କୀୟ ପୂର୍ବରୁ କୋଲକାତାରେ ଏବଂ ଆଉଜଣେ ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ଜଳେଶ୍ବର ଅବକାରୀ ବିଭାଗ ଏହି ତିନିବର୍ଷ ମଧ୍ୟରେ ସେକ୍‌ବାଡ, ଝାଡ଼େଶ୍ବରପୁର, ରାଜପୁର ଓ ଶାସନବାଡ଼ ଗ୍ରାମରେ ଚଢ଼ଉ କରି ୪୬ଟି ମାମଲା ରୁଜୁ କରିଥିଲେ ମଧ୍ୟ ଏହା କାରବାର ଉପରେ ରୋକ ଲଗାଇ ପାରୁନାହିଁ। ତେଣୁ ପୁଲିସର ଏହି ସ୍ପେସାଲ୍‌ ଟିମ୍‌ର ଆଜି ଅଚାନକ ଚଢ଼ଉ ପରେ ସ୍ଥାନୀୟ ବାସିନ୍ଦା କିଛି ଭଲ ହେବ ବୋଲି ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର