ଜଳେଶ୍ବରରେ ଏସ୍‌ଟିଏଫ୍‌ର ଚଢ଼ଉ : ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ପୁଣି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହା ସହିତ ଜଣେ ବେପାରୀ ମଧ୍ୟ ଗିରଫ ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ବଡ଼ ବଡ଼ ଅପରାଧୀମାନଙ୍କ ସହ ଯେ ସ୍ଥାନୀୟ ବ୍ୟବସାୟୀମାନେ ସଂପର୍କ ରଖିଛନ୍ତି, ତାହା ଉକ୍ତ ଘଟଣାରୁ ପ୍ରମାଣିତ ହୋଇଛି।

ସୂଚନା ଅନୁସାରେ; ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ଛୋଟାର ଆପରାଧିକ ସାମ୍ରାଜ୍ୟ ସମ୍ପର୍କରେ ଏସ୍‌ଟିଏଫ୍‌ ତଦନ୍ତ କରୁଛି। ତେବେ ଏହି ମାମଲାର ତଦନ୍ତ ସମୟରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ଥାନା ଅଧୀନ ରାଜପୁର ଗାଁର ସେକ ତୈରୁଦ୍ଦିନ (୩୫) ନିୟମିତ ଛୋଟା ତଥା ଦୈତ୍ୟ ନଗରୀର ଅନେକ ନିଶା ମାଫିଆଙ୍କୁ ବ୍ରାଉନସୁଗାର ଯୋଗାଉଥିବା ନେଇ ଟିମ୍‌ ଜାଣିବାକୁ ପାଇଥିଲା। ଫଳରେ ତୈରୁଦ୍ଦିନକୁ ଧରିବା ପାଇଁ ଏସ୍‌ଟିଏଫ୍‌ ଜାଲ ବିଛାଇଥିଲା। ଗ୍ରାହକ ଭାବେ ବ୍ରାଉନସୁଗାର ନେବା ପାଇଁ ଏସ୍‌ଟିଏଫ୍‌ ଅଧିକାରୀମାନେ ଜଣେ ଚୋରା ବେପାରୀକୁ ସାଥିରେ ଧରି ଜଳେଶ୍ବରରେ ପହଞ୍ଚିଥିଲେ। ପରେ ତୈରୁଦ୍ଦୁନକୁ ଫୋନ୍‌ରେ ଯୋଗାଯୋଗ ହୋଇଥିଲା। ତୈରୁଦ୍ଦିନ ଷ୍ଟେସନ ନିକଟ ଏକ ନିଛାଟିଆ ସ୍ଥାନରେ ବ୍ରାଉନସୁଗାର ଦେବାକୁ କହିଥିଲା। ସେ ଆସି ପହଂଚିବା ପରେ ପୂର୍ବରୁ ସାଦା ପୋଷାକରେ ପ୍ରସ୍ତୁତ ଥିବା ଏସ୍‌ଟିଏଫ୍‌ ତୈରୁଦ୍ଦିନଙ୍କୁ କାବୁ କରିନେଇଥିଲା। ଆଉ ତୈରୁଦ୍ଦିନ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଥିଲା। ତେବେ ତୈରୁଦ୍ଦିନର ଗିରଫ ସମ୍ପର୍କରେ ଜଳେଶ୍ବର ଅବକାରୀ ବିଭାଗ କିମ୍ବା ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା।

ସମ୍ବନ୍ଧିତ ଖବର