୨ କୋଟି ଟଙ୍କାର ବ୍ରାଉନସୁଗାର୍‌ ଜବତ; କଟକ, ଜଳେଶ୍ବରରୁ ୬ ଗିରଫ

ଉପକୂଳ ଓଡ଼ିଶାର ସବୁ ଜିଲ୍ଲାକୁ ଲମ୍ବିଛି ଚେର

କଟକ/ଜଳେଶ୍ବର : କଟକ ଓ ବାଲେଶ୍ବରର ଜଳେଶ୍ବରରେ ଚଢ଼ାଉ କରାଯାଇ ଗୁରୁବାର ୨ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଉଛି। କଟକରେ କମିସନରେଟ୍‌ ପୁଲିସ୍‌ର ସ୍ପେଶାଲ ସ୍କ୍ବାଡ୍‌ ଓ ମଧୁପାଟଣା ଥାନା ପୁଲିସ୍‌ ମିଳିତ ଚଢ଼ଉ କରିଥିବାବେଳେ ଜଳେଶ୍ବରରେ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରିଥିଲା। ଏହି ୨ ଘଟଣାରେ ୩ ଜଣ ଲେଖାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବ୍ରାଉନ୍‌ସୁଗାର ଚୋରାଚାଲାଣର ଚେର ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିଥିବା ଜଣାପଡ଼ିଛି।

ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଆମ୍ବତୋଟା ନିକଟରେ ୩ଜଣ ମାଫିଆ ଏକାଠି ହୋଇ ବ୍ରାଉନସୁଗାର ଚାଲାଣ ଯୋଜନା କରୁଥିବା ନେଇ ପୁଲିସ୍‌ ନିକଟରେ ଖବର ପହଞ୍ଚିଥିଲା। ଏହାପରେ କମିସନରେଟ୍‌ ପୁଲିସ୍‌ ସ୍ପେଶାଲ ସ୍କ୍ବାଡ୍‌ର ଏସିପି ଅଜୟ ଦାସଙ୍କ ନେତ୍ବତ୍ବରେ ଏକ ଟିମ୍‌ ଚଢ଼ଉ କରିଥିଲେ। ୨୫ରୁ ୩୦ ବର୍ଷ ବୟସ୍କ ଏହି ୩ ଯୁବକ ୧୧ଟି ପଲିଥିନ୍ ପ୍ୟାକେଟରେ ବ୍ରାଉନସୁଗାର ଆଣି ଅନ୍ୟ ଜଣେ ବେପାରୀକୁ ଯୋଗାଇବା ଯୋଜନାରେ ଥିଲେ। ସେମାନଙ୍କ ନିକଟରୁ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ୧ କିଲୋ ୧୨୦ ଗ୍ରାମ୍‌ ବାଉନସୁଗାର ଜବତ କରାଯିବା ସହିତ ଏକ ବାଇକ୍, ୧୭ ହଜାର ୩ଶହ ଟଙ୍କା ଓ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫ ତିନି ମାଫିଆ ହେଉଛନ୍ତି ଜଗତ୍‌ସିଂହପୁର ଓହଳାର ଗୁଲସାର ଓରଫ ସେକ୍ ଗୁଲସାରୁଦ୍ଦିନ, ଲାଲାସାହିର ପପୁ ଓରଫ ସୌଭାଗ୍ୟ ରଞ୍ଜନ ସିଂହ ଓ ମାର୍କଣ୍ଡପୁରର ଲିପୁ ବେହେରା।

ଧରାପଡ଼ିବା ପରେ ଜେରା କରିବାରୁ ସେମାନେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଏହାକୁ ଆଣୁଥିବା କହିଛନ୍ତି। ବ୍ରାଉନସୁଗାରକୁ ସେମାନେ କଟକ ସମେତ ଜଗତ୍‌ସିଂହପୁର, ଭୁବନେଶ୍ବର, ଖୋର୍ଧା ଓ ପୁରୀ ଜିଲ୍ଲାକୁ ଚାଲାଣ କରନ୍ତି କହିଛନ୍ତି। କିନ୍ତୁ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏବେ ପୁଲିସ ଉଦ୍ୟମ କରୁଛି। ମାଫିଆଙ୍କ କାରବାର ସମ୍ପର୍କରେ କୌଣସି ସୂଚନା ପାଇଲେ ପୁଲିସକୁ ଅବଗତ କରାଇବା ପାଇଁ ପୁଲିସ କମିସନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ସହରସ୍ଥିତ ଶ୍ରୀଦୁର୍ଗା ଇଲେକ୍ଟ୍ରିକାଲସ୍‌ ଦୋକାନରୁ ଆଜି କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍। ଗୁରୁବାର ଦିନ ପ୍ରାୟ ୧୨ଟା ବେଳକୁ ଦୋକାନ ସଟର୍‌ ଅଧା ଖୋଲାଥିବା ବେଳେ ଭିତରକୁ ଧସେଇ ପଶିଥିଲା ଏସ୍‌ଟିଏଫ୍‌ ଟିମ୍‌। ସେଠାରେ ଧଳାଜହର ଜବତ କରିବା ସହ ଦୋକାନ ମାଲିକ ପଥରପୁରା ସାହୁସାହି ଅଞ୍ଚଳର ପିଣ୍ଟୁ ସାହୁଙ୍କ ସମେତ କୁନା ଦାସ ଓ ସେଖ୍ ଅଫଜାନଙ୍କୁ ଗିରଫ କରିଥିଲା। ତିନି ଅଭିଯୁକ୍ତଙ୍କୁ ଏସ୍‌ଟିଏଫ୍‌ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟକୁ ନେଇ ଯାଇଥିବା ସୂଚନା ମିଳିଛି। ଏସ୍‌ଟିଏଫ୍ ନିଜ ଗୁଇନ୍ଦା ରିପୋର୍ଟ ଆଧାରରେ ଚଢ଼ଉ କରିଥିବା ବେଳେ ସ୍ଥାନୀୟ ପୁଲିସ ଏହାର ଟେର୍‌ କିଛି ପାଇନଥିବା ଜଣାପଡ଼ିଛି। ମାଜିଷ୍ଟ୍ରେଟ୍‌ ତଥା ଜଳେଶ୍ବର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍‌ଙ୍କ ଉପସ୍ଥିତିରେ ବ୍ରାଉନସୁଗାର ଜବତ କରିବା ପରେ ଏସ୍‌ଟିଏଫ ୩ ଅଭିଯୁକ୍ତଙ୍କୁ ଧରି ଭୁବନେଶ୍ବର ନେଇଥିବା ଜଣାପଡ଼ିଛି। ଏସ୍‌ଟିଏଫ୍‌ର ନେତୃତ୍ବ ନେଉଥିବା ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ତଥା ଡିଏସ୍‌ପି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ବରେ ୪ ଜଣ ମହିଳା ଇନ୍‌ସପେକ୍ଟର ଓ ୧୦ରୁ ଅଧିକ ଏପିଆର୍‌ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ।

ଆଜିର ଏହି ଚଢ଼ଉକୁ ନେଇ ଜଳେଶ୍ବର ସହରରେ ଚର୍ଚ୍ଚା ଜୋର୍‌ ଧରିବା ସହିତ ଅଣ୍ତରଗ୍ରାଉଣ୍ତ ହୋଇ ରହିଥିବା କୁଖ୍ୟାତ ନିଶା ବେ‌ପାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର