ଭୁବନେଶ୍ୱର: ଗତଚାରି ମାସ ମଧ୍ୟରେ ଦେଢ଼କୋଟି ଟଙ୍କାର ବ୍ରାଉନ୍ ସୁଗର (ଧଳା ଜହର) ଜବତ ହୋଇଥିବା ପୁଲିସ କମିସନ୍‌ର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ସୂଚନା ଦେଇଛନ୍ତି। ଏହି ଚାରି ମାସ ମଧ୍ୟରେ ୧୩୦୨ଗ୍ରାମର ଧଳା ଜହରକୁ କମିସନ୍‌ରେଟ୍‌ ପୁଲିସ ଜବତ କରିଛି। ବ୍ରାଉନ୍ ସୁଗର କାରବାରକୁ ରୋକିବା ସହିତ ଅପରାଧୀକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରଗ୍‌ ଟାସ୍କ ଫୋର୍ସ ଗଠନ କରାଯାଇଥିଲା।

Advertisment

ଗତ ଚାରିମାସ ମଧ୍ୟରେ ଏହି ଡ୍ରଗ୍‌ ଟାସ୍କ ଫୋର୍ସ ବ୍ରାଉନ୍ ସୁଗର କାରବାର ନେଇ ୫୬ଟି ମାମଲାରେ ୧୦୫ଜଣଙ୍କୁ ଗିରଫ କରିଥିଲା। ଏଥିସହିତ ଏମାନଙ୍କଠାରୁ ୪୦ଟି ଦୁଇ ଚକିଆ ଯାନ, ୬ଟି ଚାରି ଚକିଆ ଯାନ ଓ ୧୦୩ଟି ମୋବାଇଲ ଫୋନ୍‌ ଜବତ କରିଛି। ସେହିପରି ଆଜି ମୁର୍ସିଦାବାଦରୁ ବ୍ରାଉନ୍ ସୁଗର ନେଇ ଆସୁଥିବା ବେଳେ ବୁଧିଆ ଖାନ୍‌ ପୁଲିସ ହାତରେ ଧରାପଡ଼ିଥିଲା। ପୁଲିସ ବୁଧିଆଠାରୁ ୧୦ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ କରିଥିବା ପୁଲିସ କମିସନ୍‌ର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସେହିପରି ସୋମବାର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୨୫ଗ୍ରାମ୍‌ର ବ୍ରାଉନ୍ ସୁଗର ଜବତ ହୋଇ ୨ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ଡିପ୍ଲୋମା ଇଞ୍ଜିନିୟର ଛାତ୍ରର ସମ୍ପୃକ୍ତ ଥିବା ଜଣାପଡ଼ିଛି। ଜବତ ହୋଇଥିବା ବ୍ରାଉନ୍ ସୁଗରର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।