ବର୍ଷକରେ ଜବତ ହେ‌ଲାଣି ୧୦ କୋଟିର ବ୍ରାଉନ୍‌ସୁଗାର
କୁଖ୍ୟାତ ମାଫିଆ ଆଜାଦ୍ ପରଭେଜ୍ ପୁଲିସ ପାଇଁ ଅପହଞ୍ଚ

Advertisment

ବାଲେଶ୍ବର, (ହିତେଶ କୁମାର ନାୟକ) : ଧଳା ଜହର କାରବାରର ପେଣ୍ଠସ୍ଥଳୀ ପାଲଟି ଯାଇଛି ଉତ୍ତର ଓଡ଼ିଶା। ସାରା ରାଜ୍ୟର ବ୍ରାଉନସୁଗାର କାରବାର ନେଟଵର୍କ ଏଠାରୁ ହିଁ ନିୟନ୍ତ୍ରଣ ହେଉଛି। ବାଂଲାଦେଶରୁ ପଶ୍ଚିମବଙ୍ଗ ସୀମା ଦେଇ ବ୍ରାଉନସୁଗାର ପହଞ୍ଚିବା ପରେ ବାଲେଶ୍ବରକୁ ଆସୁଛି। ମାଫିଆମାନେ ଏଜେଣ୍ଟଙ୍କ ଜରିଆରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ଗତ ବର୍ଷକ ମଧ୍ୟରେ ଓଡ଼ିଶା ପୁଲିସ ୧୦ କେଜିରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରିବା ଘଟଣା ଏହା ସୂଚାଇ ଦେଉଛି। ସବୁଠୁ ବଡ଼ କଥା ହେଲା ଜବତ ବ୍ରାଉନସୁଗାର ପୂରା କାରବାରର ମାତ୍ର ୨୦ ପ୍ରତିଶତ। ବାକି ୮୦ ପ୍ରତିଶତ କାରବାର ଉପରେ ପୁଲିସ ଏଯାଏ ପଞ୍ଝା ମାରି ପାରି ନାହିଁ।

publive-image sambadenglish.com

ଏସ୍‌ଟିଏଫ୍‌, ବାଲେଶ୍ବର ଏବଂ ଭଦ୍ରକ ପୁଲିସ ବିଭିନ୍ନ ସମୟରେ ଚଢ଼ଉ କରି ୧୦ କେଜିରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଯାହାର ବଜାରର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ। ସେହିପରି ୩୦ ଲକ୍ଷରୁ ଊର୍ଧ୍ବ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। କେବଳ ଏସଟିଏଫ୍ ଜବତ ପରିମାଣର ୯୦ ପ୍ରତିଶତ ବ୍ରାଉନସୁଗାର ଧରିଛି। ଯେତେ ଚଢ଼ାଉ କଲେ ବି ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଆଡ୍ଡା ନିକଟରେ ପୁଲିସ ପହଞ୍ଚିପାରିନାହିଁ। ବରଂ ନିଶା ବ୍ୟବସାୟୀ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ବେଧଡ଼କ ନିଶା କାରବାର କରୁଛନ୍ତି। କେତେବେଳେ ମାଛ ପେଟରୁ ତ କେତେବେଳେ ନଡ଼ିଆ ଭିତରେ, ପୁଣି କେତେବେଳେ ବିଭିନ୍ନ ଫଳ ଭିତରୁ ତ କେତେବେଳେ ଡ୍ରେସ୍‌ ପୁଟୁଳାରୁ; ଏମିତି ବିଭିନ୍ନ ତରିକାରେ ବ୍ୟବସାୟୀ ପୁଲିସକୁ ଚକ୍‌ମା ଦେଇ ସାରା ରାଜ୍ୟରେ ନିଶା କାରବାର କରୁଛନ୍ତି।

ମିଳୁଥିବା ସୂଚନା ଅନୁସାରେ, ବ୍ରାଉନସୁଗାର ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଆରମ୍ଭ ହେଉଛି ଡିଲ୍। ଏହି ବ୍ରାଉନ୍‌ସୁଗାର କେଉଁଠି କି ଯିବ? କେତେବେଳେ ଯିବ? କିଏ ନେବ? କେତେ ନେବ? କେଉଁ ବାଟ ଦେଇ ଯିବ? ସବୁର ନକ୍ସା ଏଠାରୁ ହିଁ ପ୍ରସ୍ତୁତ ହେଉଛି। ବରାଦ ଆସିବା ମାତ୍ରେ ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଖରେ ମାଲ୍‌ ପହଞ୍ଚି ଯାଉଛି। ଏକାଧିକ ଛାତ୍ର ଏବେ ଏହି କାରବାରର ଏଜେଣ୍ଟ ସାଜିଛନ୍ତି। ମାଲ ପହଞ୍ଚାଇ ଦେଲେ ଖୁବ୍ କମ ସମୟ ମଧ୍ୟରେ ହଜାର ହଜାର ଟଙ୍କା ମିଳି ଯାଉଥିବାରୁ କେତେକ ଛାତ୍ର ଏବେ ଏହାକୁ ପେସା କରି ସାରିଛନ୍ତି। ଜିଲ୍ଲାକୁ ଜିଲ୍ଲାର ସୀମା ଡେଇଁ ଯାଉଥିଲେ ମଧ୍ୟ ପୁଲିସ ପାଖରେ ଖବର ପହଞ୍ଚି ପାରୁ ନାହିଁ। ଜାତୀୟ ରାଜପଥରେ ହିଁ ସବୁ କାରବାର ହେଉଛି। ଏହା ଏବେ ନିରାପଦ ସ୍ଥାନ ପାଲଟି ଯାଇଥିବା ପୁଲିସ ବିଶ୍ବାସ କରୁଛି।

publive-image

ଉଦ୍‌ବେଗର ବିଷୟ ଯେ, ବର୍ଷକ ଭିତରେ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାର ପୁଲିସ ଯେତିକି ବ୍ରାଉନ୍‌ସୁଗାର ଜବତ କରି ନାହାନ୍ତି, ମାତ୍ର ଥରକରେ ଏସ୍‌ଟିଏଫ୍‌ ତାଠାରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଛି। ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ଏସ୍‌ଟିଏଫ୍‌ ଜଳେଶ୍ବରରେ ଚଢ଼ଉ କରି ୪.୦୨୬ କେଜି ବ୍ରାଉନ ସୁଗର ଜବତ କରିବା ସହ କୁଖ୍ୟାତ ନିଶା ବେପାରୀ ସେକ୍ ନସିମକୁ ଗିରଫ କରିଥିଲା। ସେହି ମାସରେ ବାଲେଶ୍ବର ଟାଉନରୁ ଆଉ ଜଣେ ଏଜେଣ୍ଟ ଶେଖ୍ ରିୟାଜୁଦ୍ଦିନକୁ ଏସଟିଏଫ୍ ଗିରଫ କରିବା ସହ ୧.୩୨ କେଜି ବ୍ରାଉନସୁଗାର ଜବତ କରିଥିଲା। ରିୟାଜୁଦ୍ଦିନ ଭୁବନେଶ୍ବରର ଜଣେ ଏମବିଏ ଛାତ୍ର ବୋଲି ଜଣାପଡିଥିଲା। ଜାନୁଆରି ୨୬ରେ ଏସ୍‌ଟିଏଫ୍‌ ଟିମ୍‌ ଭଦ୍ରକ ଜିଲ୍ଳା ଚାନ୍ଦବାଲି ରୋଡ୍‌ରୁ ୧ କିଲୋ ୧୪୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଥିଲା। ହେଲେ ବର୍ଷକ ମଧ୍ୟରେ ବାଲେଶ୍ବର ଜିଲ୍ଲା ପୁଲିସ ୨୦ଟି ମାମଲା ରୁଜୁ କରି ୨କେଜି ୨୯୮.୩ ଗ୍ରାମ ବ୍ରାଉନ୍‌ସୁଗାର ସହ ୨୯,୬୬୭,୮୦ ଟଙ୍କା ଜବତ କରିଛି। ତେବ‌େ କେବଳ ଜଳେଶ୍ବର ଥାନା ୯ଟି ମାମଲା ରୁଜୁ କରି ୧ କେଜି ୪୧ଗ୍ରାମ ଓ ତା ପଛକୁ ସହଦେବଖୁଣ୍ଟା ଥାନା ପୁଲିସ ୮ଟି ମାମଲାରେ ୯୧୫ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଭଦ୍ରକ ଜିଲ୍ଲା ପୁଲିସ ୨୭ଟି ମାମଲାରେ ମାତ୍ର ୩୩୨ଗ୍ରାମ ବ୍ରାଉନ୍‌ଗୁସାର ଜବତ କରିଛି। ‌ତେବେ ଜିଲ୍ଲାସ୍ତରରେ ପୁଲିସ କାହିଁକି ବିପୁଳ ପରିମାଣରେ ଧରିବାକୁ ସକ୍ଷମ ହୋଇପାରୁ ନାହିଁ? ନା ନିଶା ବେପାରୀଙ୍କ ସହ କିଛି ଅସାଧୁ କର୍ମଚାରୀଙ୍କ ସମ୍ପର୍କ ରହିଥିବା ସନ୍ଦେହକୁ ମଧ୍ୟ ଏଡ଼ାଇଦିଆଯାଇ ପାରିବ ନାହିଁ। ପୂର୍ବରୁ ବ୍ରାଉନ୍‌ସୁଗାର କାରବାରରେ ଜଳେଶ୍ବର ଥାନା ଅଧିକାରୀଙ୍କ ସମ୍ପୃକ୍ତି ନେଇ ତାଙ୍କୁ ନିଲମ୍ବନ କରାଯାଇଥିବା ନଜିର ରହିଛି।

ବାଲେଶ୍ବରର ବ୍ରାଉନସୁଗାର ବାଦଶାହା ଶେଖ୍ ପରଭେଜ୍ ଏବେ ବି ସକ୍ରିୟ ରହିଛି। ଏକ ନିଶା କାରବାର ମାମଲାରେ ସଜା କାଟି ସାରିଥିଲେ ମଧ୍ୟ ତା ନିୟନ୍ତ୍ରଣରେ ରହିଛି ବ୍ରାଉନସୁଗାର କାରବାର। ଓଡ଼ିଶା ପୁଲିସ ପରଭେଜ୍ ସମ୍ପର୍କରେ ସାମାନ୍ୟତମ ଟେର୍ ମଧ୍ୟ ପାଇପାରି ନାହିଁ। ପରଭେଜ୍ ପ୍ରାୟ ୫୦ରୁ ଅଧିକ ଏଜେଣ୍ଟ ରଖି ନିଶା କାରବାର ଚଳାଇଥିବା ପୁଲିସ ଖବର କହୁଛି। ସେ ସିଧାସଳଖ କୌଣସି ମୋବାଇଲ ଫୋନ୍ ବ୍ୟବହାର କରୁ ନାହିଁ। ଯେଉଁମାନେ ତା' ଠାରୁ ବ୍ରାଉନସୁଗାର କିଣନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଏ। ଯେଉଁଠିକି ମାଲ୍ ଯାଏ ସେ ପର୍ଯ୍ୟନ୍ତ ସେମାନେ ସାଙ୍ଗେ ସାଙ୍ଗେ ରହନ୍ତି।

ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଆମେ ଏକ ନିର୍ଦ୍ଧିଷ୍ଟ ଦିଗ ଉପରେ ଗୁରୁତ୍ବ ଦେଇଥାଉ। ଆମର ଟିମ୍‌, ବିଶ୍ଳେଷଣ, ଗୁଇନ୍ଦା, ଟେକ୍ନୋଲୋଜି ଜିଲ୍ଲା ପୁଲିସ ଠାରୁ ଭିନ୍ନ। ଯେହେତୁ ଜିଲ୍ଲା ପୁଲିସର ବିଭିନ୍ନ ଦାୟିତ୍ବ ରହିଛି ସେମାନେ ନିର୍ଦ୍ଧିଷ୍ଟ ଦିଗ ଉପରେ ଗୁରୁତ୍ବ ଦେବା ସହଜ ନୁହେଁ। ସ୍ବାଭାବିକ ଭାବେ ଆମେ ଅଧିକ ଚଢ଼ଉ କରି ସଫଳତା ପାଇଛୁ।