ବ୍ରାଉନସୁଗାର ବେପାରୀ ରକ୍ତମୁଖା!

କେଉଁଠି ହତ୍ୟା ତ ଆଉ କେଉଁଠି ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି

କୋଟିକୋଟିର ବେପାର, ପାଖରେ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର
ଉପକୂଳ ଜିଲ୍ଲାର ଗଳିକନ୍ଦିରେ ମାଡ଼ିଗଲାଣି ବେପାର

ଭୁବନେଶ୍ୱର : ରକ୍ତମୁଖା ହେଲେଣି ବ୍ରାଉନସୁଗାର ବେପାରୀ। କେଉଁଠି ହତ୍ୟା ତ ଆଉ କେଉଁଠି ପ୍ରାଣାନ୍ତକ ଆକ୍ରମଣ। ଚଢ଼ଉ କରିବାକୁ ଯାଉଥିବା ପୁଲିସ ବି ବାଦ୍ ପଡ଼ୁ ନାହାନ୍ତି। କୋଟି କୋଟି ଟଙ୍କା ବେପାରକୁ ସୁରକ୍ଷା ଦେବା ପାଇଁ ହାତଉଛନ୍ତି ଅସ୍ତ୍ରଶସ୍ତ୍ର, ସାଂଗରେ ରଖିଛନ୍ତି ଭଡ଼ାଟିଆ ଗୁଣ୍ଡା। ଶୁକ୍ରବାର ଭୋର ସମୟରେ ପୁଲିସ ଓ ଅବକାରୀ ଟିମ୍ ମିଶି ବାଲେଶ୍ବର ଜିଲ୍ଲା ବସ୍ତା ବିଦ୍ୟାଧରପୁର ଗାଁରେ ଚଢ଼ଉ କରିବା ସମୟରେ ବ୍ରାଉନସୁଗାର ବେପାରୀଙ୍କ ଦ୍ବାରା ଆକ୍ରମଣର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ନିଶା ମାଫିଆଙ୍କ ସହଯୋଗୀ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଆକ୍ରମଣରେ ୩ କର୍ମଚାରୀ ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ; ଆକ୍ରମଣକାରୀମାନେ ପୁଲିସ କବଳରୁ ନିଶା ମାଫିଆକୁ ଛଡ଼ାଇ ନେବାରେ ବି ସକ୍ଷମ ହୋଇଛନ୍ତି। ସ୍ଥିତି ଏମିତି ହେଲାଣି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାର ଗଳିକନ୍ଦିରରେ ବ୍ରାଉନସୁଗାର କାରବାର ମାଡ଼ିଗଲାଣି। ନିଶା ରାକ୍ଷସକୁ ‌ରୋକା ନ ଗଲେ ଆଗକୁ ଏଭଳି ହିଂସା ସାଂଘାତିକ ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

କେବଳ ବାଲେଶ୍ବରର ବସ୍ତା ନୁହେଁ, ଗତ ୧୭ ତାରିଖରେ ନିଶା କାରବାରକୁ ନେଇ ଜଗତସିଂହପୁର ସହର ବଡ଼ବାଗରେ ଜଣେ ଯୁବକଙ୍କ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି କରିଥିଲା। ହତ୍ୟାର ଶିକାର ହୋଇଥିଲେ ସେହି ଗାଁର ରାମଚନ୍ଦ୍ର ସାହୁ। ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇ ତାଙ୍କର ଦୁଇ ହାତ, ଦୁଇ ଗୋଡ଼ ଓ ମୁଣ୍ଡ କାଟି ଶରୀରରୁ ଅଲଗା କରି ଦେଇଥିଲେ। ନିକଟ ଅତୀତରେ ନିଶାକୁ ନେଇ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ହତ୍ୟା, ମରଣାନ୍ତକ ଆକ୍ରମଣ, ଗୁଳିକାଣ୍ଡ ଭଳି ଘଟଣା ଘଟିଛି। ଗତ ଜୁଲାଇ ମାସରେ ମାଷ୍ଟରକ୍ୟାଣ୍ଟିନରେ ରାଜା ଓ ତାର ସହଯୋଗୀମାନେ ୩ ଜଣଙ୍କୁ ରାଜରାସ୍ତାରେ ଆକ୍ରମଣ କରିଥିଲେ। ୨୦୧୯ ନଭେମ୍ବରରେ ଖଣ୍ଡଗିରି ଥାନା ବାହାଦଲପୁରରେ ପୁଅ ଅନିଲ ଓରଫ୍ ପପୁ ଜେନାଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ବାପା ଅଭିମନ୍ୟୁ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଗତ ଜୁନ ମାସରେ ବହୁଚର୍ଚ୍ଚିତ ଖୋର୍ଦ୍ଧା ଦଧିମାଛଗାଡ଼ିଆ ହତ୍ୟାକାଣ୍ଡ ଅଭିଯୁକ୍ତ ଜୁଲାଇ ମାସରେ ଜଟଣୀ ବାଇପାସ୍‌ରେ ୩.୬ କେଜି ବ୍ରାଉନସୁଗାର ସହ ପୁଲିସ ହାତରେ ଧରାପଡ଼ିଥିଲା।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧଳାଜହର ବେପାରକୁ କେନ୍ଦ୍ରକରି ଏଭଳି ସାଂଘାତିକ ହିଂସା ଓ ଅପରାଧ ଏବେ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ବିଶେଷ କରି ଉପକୂଳ ଅଞ୍ଚଳରେ ନିଶା ମାଫିଆଙ୍କ ଆତଙ୍କରାଜ ଉଗ୍ରପୂପ ଧାରଣ କଲାଣି। ପରିସ୍ଥିତି ଏପରି ହେଲାଣି ଯେ ବ୍ରାଉନସୁଗାର ବେପାରୀଙ୍କ ପାଇଁ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ରହିଲେଣି। ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଶାସନବାଡ଼, ରାଜପୁର, ସେକବାଡ୍, ଝାଡ଼େଶ୍ବରପୁର ଓ ବସ୍ତାର କେତେକ ଅଞ୍ଚଳ ବ୍ରାଉନସୁଗାର ମାଫିଆଙ୍କ ଗଡ଼ ପାଲଟି ଯାଇଛି। କୋଟି କୋଟି ଟଙ୍କାର ବେପାର ହେଉଥିବାରୁ ନିଶା ମାଫିଆମାନେ ମେଳି ହୋଇ ଗ୍ୟାଙ୍ଗ୍‌ ତିଆରି କରିଛନ୍ତି ଏବଂ ବିଭିନ୍ନ ଅପରାଧ ଘଟାଇବା ସହ ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି। ନିଶା କାରବାରରୁ ଅଳ୍ପଦିନ ମଧ୍ୟରେ କୋଟିପତି ପାଲଟି ଯାଉଥିବାରୁ ନିଶା ମାଫିଆମାନେ ନିଜ ଗ୍ୟାଙ୍ଗ୍‌ ବନାଉଛନ୍ତି ଏବଂ ଧୀରେଧୀରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି। ଗତକାଲି ଖଲ୍ଲିକୋଟ ପୁଲିସ ଖୋଜାପଲ୍ଲୀ ଦାଣ୍ଡସାହିରେ କୁଖ୍ୟାତ ନିଶା ମାଫିଆ ରଜନୀକାନ୍ତ ପଟ୍ଟନାୟକ ଘରେ ଚଢ଼ଉ କରି ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନଗଦ ୭୫ ଲକ୍ଷ ଟଙ୍କା ଓ ସାଢ଼େ ୮ କେଜି ସୁନା ମଧ୍ୟ ରହିଛି। ସେହିପରି କୁଖ୍ୟାତ ବ୍ରାଉନସୁଗାର ମାଫିଆ ଟକଲୁ ରାଜାର ଦେଢ଼ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଚିଠି ଲେଖାଯାଇଛି। ହାଇଦ୍ରାବାଦ, ଗୋଆରେ ବି ସମ୍ପତ୍ତି ରହିଥିବା ଜଣାପଡ଼ିଛି।

କୋଟି କୋଟି ଟଙ୍କା ସମ୍ପତ୍ତିର ହାତଉଥିବା ନିଶା ମାଫିଆଙ୍କର ମୁକାବିଲା କରିବା ପୁଲିସ ଓ ଅବକାରୀ ବିଭାଗ ପାଇଁ ବଡ଼ ଆହ୍ବାନ ପାଲଟିଛି। ସେମାନେ ଅତ୍ୟାଧୁନିକ ଚୋରା ବନ୍ଧୁକ, ଅସ୍ତ୍ରଶସ୍ତ୍ର ରଖୁଛନ୍ତି। ଏପରିକି ଭଡ଼ାଟିଆ ଗୁଣ୍ଡା ମଧ୍ୟ ରହିଛନ୍ତି। ବାଲେଶ୍ବରରୁ ବ୍ରାଉନସୁଗାର ଚାଲାଣ ସମୟରେ କାର୍ ଓ ବାଇକ୍ ବ୍ୟବହାର ହେଉଛି। ବିପୁଳ ପରିମାଣର ମାଲ୍ ଚାଲାଣ ବେଳେ ଭଡ଼ାଟିଆ ଗୁଣ୍ଡା ଏସକର୍ଟ କରି ଯାଉଛନ୍ତି। ନିଶା କାରବାର ସମ୍ପର୍କରେ ଖବର ଦେଉଥିବା ଇନଫର୍ମର ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ଉପରେ ମଧ୍ୟ କେତେକ ଜାଗାରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଗାଁ ଗହଳିରେ ବ୍ରାଉନସୁଗାର ବେପାର ମାଡ଼ି ଚାଲିଥିବା ବେଳେ କଲେଜ ପଢ଼ୁଆ ଛାତ୍ର ଓ ଯୁବକମାନେ ଏହାର ମଙ୍ଗ ଧରିଛନ୍ତି। ନିଜେ ଖାଇବା ସହ ବେପାର ମଧ୍ୟ କରୁଛନ୍ତି। କେତେକ ସ୍କୁଲ ଛାତ୍ର ମଧ୍ୟ ନିଶା କବଳରେ ପଡ଼ି ଯାଇଛନ୍ତି। ଯାହା ଆଗକୁ ଆହୁରି ସାଂଘାତିକ ରୂପ ନେବ ବୋଲି ଆଶଙ୍କା କରାଯାଉଛି।

ଏ ସଂପର୍କରେ ପୂର୍ବତନ ଅବକାରୀ କମିସନର ସୁଦର୍ଶନ ନାୟକ କହିଛନ୍ତି, ବିପୁଳ ଅର୍ଥ ରୋଜଗାର କରୁଥିବା ନିଶା ବେପାରୀ ନିଜକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଯାଇ ସେମାନଙ୍କୁ ସାବାଡ୍ କରାଯାଇ ପାରିବ। ଏହା ବାଦ୍ ଗାଁ ଗାଁରେ ବଢ଼ୁଥିବା ନିଶା କାରବାରକୁ ରୋକିବାକୁ ହେଲେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର