ମାମଲାର ଶୁଣାଣି ଚାଲିଥିବା ବେଳେ ବ୍ରାଉନସୁଗାର ନଷ୍ଟ କରାଗଲା

୭ ଅଗଷ୍ଟ ୨୦୨୦ରେ ଏସ୍‌ଟିଏଫ୍ ଜବତ କରିଥିଲା ୧କେଜି ୩୨୦ଗ୍ରାମ୍ ବ୍ରାଉନସୁଗାର

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଜନିତ ଏକ ମାମଲାର ଶୁଣାଣି (ପ୍ରି-ଟ୍ରାଏଲ୍) ଚାଲିଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାକୁ ନଷ୍ଟ କରାଯାଇଛି। ଗତକାଲି ଖୋର୍ଦ୍ଧା ଟାଙ୍ଗିଆପଡ଼ାରେ ମେଡିକାଲ ବର୍ଜ୍ୟବସ୍ତୁ ନଷ୍ଟ ହେଉଥିବା ସଂସ୍ଥା ସାନିକ୍ଲିନ୍ ପ୍ରାଇଭେଟ୍‌ ଲିମିଟେଡ୍‌ରେ ପ୍ରାୟ ୧କେଜି ୩୨୦ଗ୍ରାମ୍ ବ୍ରାଉନସୁଗାର ନଷ୍ଟ କରାଯାଇଛି। ଅପରପଟେ ଏସ୍‌ଟିଏଫ୍ ମଧ୍ୟ ବ୍ରାଉନସୁଗାର ନଷ୍ଟ କରିବାରେ ପ୍ରଥମ ଥର ପାଇଁ ନିଜେ ଏହି ପଦକ୍ଷେପ ନେଇଥିଲା। କେବଳ ସେତିକି ନୁହେଁ, ଏହା ପୂର୍ବରୁ ରାଜ୍ୟର କୌଣସି ଜିଲ୍ଲା ବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଥରେ ହେଲେ ବି ବ୍ରାଉନସୁଗାର ନଷ୍ଟ କରାଯାଇନଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୦୨୦ ଅଗଷ୍ଟ ୮ରେ ଏସ୍‌ଟିଏଫ୍ ବାଲେଶ୍ବର ବସ୍‌ଷ୍ଟାଣ୍ଡ୍ ନିକଟରୁ କୁଖ୍ୟାତ ନିଶା ବେପାରୀ ସେକ୍ ରିୟାଜୁଦ୍ଦିନ୍ ପାଖରୁ ୧କେଜି ୩୨୦ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଏନ୍‌ଡିପିଏସ୍ ମାମଲା ରୁଜୁ କରି ଅଭିଯୁକ୍ତ ରିୟାଜୁଦ୍ଦିନ୍‌କୁ ଏସ୍‌ଟିଏଫ୍ କୋର୍ଟ ଚାଲାଣ କରିଥିଲା। ଏହା ପରେ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ କୋର୍ଟ ଓ ଥାନାର ମାଲ୍‌ଖାନାରେ ନିଶା ସାମଗ୍ରୀ ଭର୍ତ୍ତି ହୋଇ ରହିଥିବାରୁ ସେଗୁଡ଼ିକୁ ନଷ୍ଟ କରିବା ପାଇଁ ଆବେଦନ କରାଯାଇଥିଲା। ଏସ୍‌ଟିଏଫ୍‌ର ଆବେଦନ କ୍ରମେ ସେଗୁଡ଼ିକୁ ନଷ୍ଟ କରିବା ପାଇଁ ହାଇକୋର୍ଟ ଗତ ୩୧ଜାନୁଆରିରେ ସ୍ବୀକୃତି ପ୍ରଦାନ କରିଥିଲେ। ଏହାପରେ ନିୟମ ଅନୁଯାୟୀ, ଏକ ଡ୍ରଗ୍ସ ଡିସପୋଜାଲ୍ କମିଟି ଗଠନ ହୋଇଥିଲା। ଏସ୍‌ଟିଏଫ୍ ଏସ୍‌ପିଙ୍କ ନେତୃତ୍ବରେ ଏହି କମିଟିରେ ଖୋର୍ଦ୍ଧାର ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲାର ଅବକାରୀ ଅଧୀକ୍ଷକ, ଏସ୍‌ଟିଏଫ୍‌ର ଡିଏସ୍‌ପି, ରାଜ୍ୟ ଫରେନ୍ସିକ ଲାବରେଟୋରିର ସାଇଣ୍ଟିଫିକ୍ ଅଫିସର୍ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ସଦସ୍ୟ ରହିଥିଲେ। ଜବତ ହୋଇଥିବା ବ୍ରାଉନସୁଗାରର ନମୁନାକୁ ନଷ୍ଟ କରାଯିବାକୁ ଥିବା ବ୍ରାଉନସୁଗାର ସହ ମେଳ କରାଯାଇଥିଲା। ପରେ ଏସ୍‌ଓପି ଅନୁଯାୟୀ, ନଷ୍ଟ କରାଯାଇଥିଲା।

୩ବର୍ଷରେ ଜମା ହେଲାଣି ୪୫୦ଟନ୍ ଗଞ୍ଜେଇ ଓ ୧୦୩ କେଜି ବ୍ରାଉନସୁଗାର
ତଥ୍ୟ ଅନୁଯାୟୀ, ବିଭିନ୍ନ ଜିଲ୍ଲା ପୁଲିସ, ଏସ୍‌ଟିଏଫ୍, କମିସନରେଟ୍ ପୁଲିସ, କ୍ୟୁଏଟି, ଅବକାରୀ ବିଭାଗ ଆଦି ସଂସ୍ଥା ଗତ ୩ବର୍ଷରେ ରାଜ୍ୟରେ ମୋଟ ୪୫୦ଟନ୍ ଗଞ୍ଜେଇ ଓ ୧୦୩ କେଜି ବ୍ରାଉନସୁଗାର ଜବତ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ହେଉଛି ୨୦୧୯ ଜାନୁଆରି ୧ରୁ ୨୦୨୧ ଡିସେମ୍ବର ୩୧ର ତଥ୍ୟ। ଏହା ପୂର୍ବରୁ ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ପୁଲିସ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ କରିଛି। ମାତ୍ର ନିଶା ସାମଗ୍ରୀ ନଷ୍ଟ କରିବାରେ ବିଫଳ ହୋଇଛି। କେବଳ ୨୦୧୪ ମସିହାରେ ପ୍ରଥମ ଓ ଶେଷ ଥର ପାଇଁ ଅନୁଗୁଳ ଜିଲ୍ଲାରେ ପ୍ରାୟ ୬୦କ୍ବିଣ୍ଟାଲ୍ ଗଞ୍ଜେଇ ନଷ୍ଟ ହୋଇଥିବା ଜଣାପଡ଼ିଛି। ଅପରପଟେ ଆସନ୍ତା ୩ରୁ ୬ମାସ ମଧ୍ୟରେ ଗତ ୩ବର୍ଷରେ ଜବତ ହୋଇଥିବା ଉପରୋକ୍ତ ନିଶା ସାମଗ୍ରୀ ସବୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଥିବା କ୍ରାଇମବ୍ରାଞ୍ଚ୍ ସୂଚନା ଦେଇଛି।

୨୦୧୪ରେ ପୋଷ୍ଟ୍ ଟ୍ରାଏଲ୍‌ରେ ଗଞ୍ଜେଇ ନଷ୍ଟ କରାଯାଇଥିଲା
୨୦୧୪ ମାର୍ଚ୍ଚରେ ଅନୁଗୁଳ ଜିଲ୍ଲାରେ ପ୍ରାୟ ୬୦କ୍ବିଣ୍ଟାଲ୍ ଗଞ୍ଜେଇ ପୋଷ୍ଟ ଟ୍ରାଏଲ୍ ଅର୍ଥାତ ଜବତ ହୋଇଥିବା ନିଶା ସାମଗ୍ରୀର ଶୁଣାଣି କୋର୍ଟରେ ଶେଷ ହେବା ପରେ ନଷ୍ଟ କରାଯାଇଥିଲା। ତତ୍କାଳୀନ ଅନୁଗୁଳ ଡିଆଇଜି ନରସିଂହ ଭୋଳଙ୍କ ନେତୃତ୍ବରେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ମାଲଖାନାରେ ଜବତ ନିଶା ସାମଗ୍ରୀଗୁଡ଼ିକ ମାତ୍ରାଧିକ ଭାବେ ଗଦେଇ ହୋଇ ରହିଥିଲା। ଏନେଇ ଡିଆଇଜି କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଥିଲେ। କ୍ରାଇମ୍‌ବ୍ରାଞ୍ଚ୍ ଏଡିଜି କୋର୍ଟରେ ଆବେଦନ କରିବା ପରେ ହାଇକୋର୍ଟ ଅନୁମତି ଦେଇଥିଲେ। ପରେ ପ୍ରାୟ ୬୦କ୍ବିଣ୍ଟାଲ୍ ଗଞ୍ଜେଇ ଅନୁଗୁଳ ଜିଲ୍ଲାର ଏକ ଇଟାଭାଟିରେ ନଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର