୨୨ ହଜାରେ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ଆଜି ଚୋରା ବ୍ରାଉନସୁଗାର ଜବତ ମାମଲାରେ ଦୁଇଜଣ ଚୋରା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ବେପାରୀ ଦ୍ବୟ ହେଲେ ବାଲିଅନ୍ତା ଥାନା ଭିଙ୍ଗାରପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମର ମଦନମୋହନ ଭୋଇ(୩୫) ଏବଂ ଆଶୁତୋଷ ବେହେରା (୩୦)। ଉଭୟ ମଦନମୋହନ ଓ ଆଶୁତୋଷଙ୍କୁ ଆସନ୍ତାକାଲି ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ସେମାନଙ୍କ ନିକଟରୁ ପୁଲିସ ୨୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଏଥିସହିତ ପୁଲିସ ଏହି ଚୋରା ବ୍ରାଉନ ସୁଗାର କାରବାର ଘଟଣାରେ ବ୍ୟବହୃତ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି।

ପୁଲିସ ସୂଚନା ଅନୁସାରେ ମଦନମୋହନ ଓ ଆଶୁତୋଷ ଦୁହେଁ ପେସାଦାର ଚୋରା ବ୍ରାଉନସୁଗାର ବ୍ୟବସାୟୀ।ଆଜି ଅପରାହ୍ନ ୩ଟା ସମୟରେ ମଦନମୋହନ ଓ ଆଶୁତୋଷ ବାଇକରେ ଜଗତସିଂହପୁର ଅଞ୍ଚଳରୁ ବ୍ରାଉନସୁଗାର ନେଇ ଭିଙ୍ଗାରପୁର ଅଞ୍ଚଳରେ ଥିବା ଆଡ୍ଡାସ୍ଥଳରେ ପହଞ୍ଚି କାରବାର ଚଳାଇଥିଲେ। ସେହି ସମୟରେ ବାଲିଅନ୍ତା ଥାନା ଏସଆଇ ରାକେଶ କୁମାର ସାମନ୍ତରାୟଙ୍କ ତତ୍ବାବଧାନରେ ପୁଲିସ ଟିମ ଚଢ଼ଉ କରିଥିଲା। ପୁଲିସ ମଦନମୋହନ ଓ ଆଶୁତୋଷକୁ କାବୁ କରି ନେଇଥିବା ବେଳେ ତାଙ୍କ ନିକଟରୁ ବ୍ରାଉନସୁଗାର ନେବାକୁ ଭିଡ଼ ଜମାଇଥିବା ଅନ୍ୟ ୫ ଜଣ ବେପାରୀ ଦୌଡ଼ି ପଳାଇଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର