୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଦୁଇ ବେପାରୀ ଗିରଫ, କାର ଓ ବାଇକ ଜବତ

ବାଲିଅନ୍ତା: କମିସନରେଟ ପୁଲିସର କ୍ୟୁଏଟି ଓ ବାଲିଅନ୍ତା ଥାନା ପୁଲିସ ମିଳିତ ଚଢ଼ଉ କରି ଦୁଇଜଣ ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଚୋରା ବ୍ରାଉନ ସୁଗାର ବ୍ୟବସାୟୀ ଦ୍ବୟ ହେଲେ କ୍ୟାପିଟାଲ  ଥାନା ଅଧୀନ କେଦାର ପଲ୍ଲୀ ବସ୍ତିର ଅନୀଲ କୁମାର ନାୟକ ଏବଂ ବାଲେଶ୍ବର ଜିଲ୍କା ଅଧୀନ ଜଳେଶ୍ବର ଥାନା ଅଧୀନ ରାଜପୁର ଗ୍ରାମର ସାମସୁଦ୍ଧିନ(୨୪)। ତେବେ କୋର୍ଟରେ ଉଭୟ ଅନୀଲ ଓ ସାମସୁଦ୍ଧିନର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏନେଇ ଥାନାରେ ଉଭୟଙ୍କ ବିରୋଧରେ ‌ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ସେମାନଙ୍କ ନିକଟରୁ ପୁଲିସ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ଘଟଣାସ୍ଥଳରୁ ଏହି ଚୋର ବ୍ରାଉନସୁଗାର କାରବାରରେ ବ୍ୟବହୃତ ଗୋଟିଏ କାର, ଆଉ ଗୋଟିଏ ବାଇକ ସମେତ ଦୁଇଟି ଦାମୀ ମୋବାଇଲ ଫୋନ ଓ ୨୦୦୦ ଟଙ୍କା ଜବତ କରାଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅନୀଲ ଏବଂ ସାମସୁଦ୍ଧିନ ଦୁଇଜଣଯାକ ଗ୍ୟାଙ୍ଗର ପେସାଦାର ବ୍ରାଉନସୁଗାର ବ୍ୟବସାୟୀ। ‌ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଆଉ ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ଚୋରା ବ୍ରାଉନସୁଗାରର ଚେର ସୁଦୂର ଜଳେଶ୍ବରରୁ ଭୁବନେଶ୍ବର ଉପକଣ୍ଠକୁ ଲମ୍ବିଛି। ବାଲିଅନ୍ତା, ବାଲିପାଟଣା‌, ଧଉଳି ଏବଂ ନିମାପଡ଼ା ଓ ନିଆଳି ଏବଂ ଆଇଲାଣ୍ଡ ଅଞ୍ଚଳକୁ ଲମ୍ବିଛି।

ଶ୍ୟାମସୁଦ୍ଧିନ ଜଳେଶ୍ବରରୁ ବ୍ରାଉନସୁଗାର ଯୋଗାଣ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅନୀଲ ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ରୁଟରେ କାରବାର ଚଳାଉଥିଲା। ବାଲିଅନ୍ତା ଥାନା ଅଧୀନ ପୁରୀ ମୁଖ୍ୟ କେନାଲ, ବାଲିଅନ୍ତା ସାପ୍ତାହିକ ହାଟ , ବେଣୁପୁର, ଭିଙ୍ଗାରପୁର , ସରକଣା,ବାଳକାଟି ଭାର୍ଗବୀ ବ୍ରିଜ , ଶାନ୍ତିସ୍ତୂପ ଧଉଳି, ପୁରୁଣା ଜାତୀୟ ରାଜପଥ ଆଦି ଅଞ୍ଚଳରେ ଚୋରା ବ୍ରାଉନସୁଗାର ଆଡ୍ଡା ରହିଛି।ଗତକାଲି ଅପରାହ୍ନରେ ଉଭୟ ଅନୀଲ ଓ ସାମସୁଦ୍ଧିନ ବ୍ରାଉନସୁଗାର ନେଇ ପୁରୀ ମୁଖ୍ୟ କେନାଲ ରାସ୍ତା ଓ ବାଲିଅନ୍ତା ଅଟଳାଗଡ଼ା ଆଡ଼କୁ ଆସୁଥିବା ଖବର ପୁଲିସକୁ ମିଳିଥିଲା।ଖବର ମୁତାବକ ଉଭୟ କ୍ୟୁଏଟି ଭୁବନେଶ୍ବରରେ ପହଞ୍ଚିବା କ୍ଷଣି ସୂଚନା ଆଧାରରେ ସେମାନଙ୍କର ପିଛା କରିଥିଲେ। ସାମସୁଦ୍ଧିନ କାର ଚଳାଇ ଆସୁଥିବା ବେଳେ ଆଗରେ ବାଇକ ଚଳାଇ ଯାଉଥିଲା। ପୁରୀ କେନାଲ ରାସ୍ତାରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ବାଲିଅନ୍ତା ଥାନା ପୁଲିସ ଗାଡ଼ି ଦ୍ବୟକୁ ଅଟକାଇ କାବୁ କରି ନେଇଥିଲେ। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛିଯେ କାର ଭିତରେ ଥିବା ଅନ୍ୟଜଣେ ବେପାରୀ ପୁଲିସ ଚଢ଼ଉ ସମୟରେ ଖସି ପଳାଇଥିଲା। ପୁଲିସ ତାକୁ ଧରିବାରେ ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର