୪୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ବାଲେଶ୍ବର : ଅବକାରୀ ଗୁଇନ୍ଦା ବିଭାଗ କଟକ(୨) କାର୍ଯ୍ୟାଳୟର ଏକ ୧୬ ଜଣିଆ ଟିମ୍‌ ଆଜି ଜଳେଶ୍ବରର ଝାଡ଼େଶ୍ବରପୁର ଗାଁରେ ଚଢ଼ଉ କରି ୪୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ବ୍ରାଉନ୍‌ସୁଗ‌ାର ଝାଡ଼େଶ୍ବରପୁର ଗାଁର ସେକ ମନିରୁଦ୍ଦିନଙ୍କ ଘରୁ ମିଳିଥିଲା। ତେବେ ବିଭାଗୀୟ ଟିମ୍‌ ମନିରୁଦ୍ଦିନଙ୍କୁ ଏକ ଗାଡ଼ିରେ ବସାଇ ଦେଇ ତଦନ୍ତ କରୁଥିବା ବେଳେ ହଟହଟ‌ା ହୋଇଛନ୍ତି। ମନିରୁଦ୍ଦିନଙ୍କ ପରିବାର ଲୋକେ ବିଭାଗୀୟ ଗାଡ଼ିରୁ ମନିରୁଦ୍ଦିନଙ୍କୁ ଟେକିନେବା ସହ ପଦାଧିକାରୀଙ୍କୁ ଅଟକ ରଖିବା ଘଟଣା ସାଧାରଣରେ ଚର୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ୩୦ ମିନିଟ୍‌ ସମୟରେ ଏହି ଟିମ୍‌ ମନିରୁଦ୍ଦିନଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ୪ଟି ବ୍ରାଉନ୍‌ସୁଗ‌ାର ପ୍ୟାକଟ୍‌ ଓ ୪୦ରୁ ଊର୍ଦ୍ଧ୍ବ ପୁଡ଼ିଆ ମିଳିଥିଲା। ପ୍ୟାକେଟ୍‌ଗୁଡ଼ିକର ଓଜନ ୪୦୦ ଗ୍ରାମ୍‌ ହୋଇଥିବା ବେଳେ ପୁଡ଼ିଆଗୁଡ଼ିକର ଓଜନ ୫୦ ଗ୍ରାମ୍‌ ବୋଲି ଜଣାପଡ଼ିଛି। ପରେ ଏହି ସମସ୍ତ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ଯାହାର ବଜାର ମୂଲ୍ୟ ୪୫ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ଏଥିସହ ଏହି ମାମଲାର ଅଭିଯୁକ୍ତ କୁହାଯାଉଥିବା ମନିରୁଦ୍ଦିନକୁ ଗୁଇନ୍ଦା ଟିମ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର