ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୁଲିସ ଗତକାଲି ସନ୍ଧ୍ୟାରେ ଆମ୍ବଳିଅଠା ନିକଟରୁ ଜଣେ ବଙ୍ଗୀୟ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ବେପାରୀ ଜଣକ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା କାନ୍ଥି ଥାନା ଅଧୀନ ତାଜପୁର ଗ୍ରାମର ସେକ ନିଜାମୁଦ୍ଦିନଙ୍କ ପୁଅ ସେକ ମାନାଜୁଦ୍ଦିନ (୪୧) ବୋଲି ଜଣାପଡ଼ିଛି। ମାନାଜୁଦ୍ଦିନଙ୍କଠାରୁ ୫୬୩ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗର (୫୬ ଲକ୍ଷ ଟଙ୍କା) ଜବତ ହୋଇଥିବା ଏସ୍‌ପି ସାଗରିକା ନାଥ ଆଜି ଜଳେଶ୍ୱର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି ସାଗରିକା କହିଛନ୍ତି, ଗତକାଲି ଜଳେଶ୍ୱର ପୁଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିଲା ଯେ ଜଣେ ବଙ୍ଗୀୟ ଯୁବକ ପଶ୍ଚିମବଙ୍ଗରୁ ଜଳେଶ୍ୱରକୁ ବିପୁଳ ପରିମାଣରେ ବ୍ରାଉନ୍‌ସୁଗାର ନେଇ ଆସୁଛନ୍ତି। ସୂଚନା ଆଧାରରେ ଜଳେଶ୍ୱର ପୁଲିସ ଆମ୍ବଳିଅଠା ନିକଟରେ ଜଗି ରହିଥିଲା। ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍‌ ସମୟରେ ଡବ୍ଳ୍ୟୁବି-୩୨-ଏପି-୯୩୩୬ ନମ୍ବରର ଏକ ବାଇକ୍‌ରେ ପଶ୍ଚିମବଙ୍ଗ ପଟୁ ଜଣେ ଯୁବକ ଜଳେଶ୍ୱର ଆସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ସେହି ଯୁବକଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଯୁବକ ଜଣକ ସେକ ମାନାଜୁଦ୍ଦିନ ବୋଲି ଜଣାପଡ଼ିଥିଲା ଏବଂ ତାଙ୍କ ପାଖରୁ ୫୬୩ ଗ୍ରାମ୍‌ ଓଜନ ତଥା ୫୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସହ ଗୋଟିଏ ମୋବାଇଲ୍‌, ଗୋଟିଏ ଏୟାର୍‌ ବ୍ୟାଗ୍‌ ଓ ନଗଦ ୭୦୦ ଟଙ୍କା ମିଳିଥିଲା। ଏନେଇ ଜଳେଶ୍ୱର ଥାନାରେ ୯୧/୨୪ରେ ଏକ ମାମଲା ରୁଜୁ ହୋଇଛି। ମାନାଜୁଦ୍ଦିନଙ୍କ ନାମରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ବେଳେ ସେ ଦୀର୍ଘଦିନ ହେବ ବ୍ରାଉନ୍‌ସୁଗାର କାରବାର ଚଳାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ, ଜଳେଶ୍ୱର ଆଇଆଇସି ରଞ୍ଜନ କୁମାର ସେଠୀ ଏବଂ ଭୋଗରାଇ ଆଇଆଇସି ସୁଦୀପ୍ତ ସାହୁ ମଧ୍ୟ ଉପସ୍ଥିତ ଥିଲେ

Advertisment

ଜେଲ୍‌ରେ ୩୦ ବ୍ରାଉନ୍‌ସୁଗାର ବେପାରୀ, ଅନ୍ୟମାନଙ୍କୁ ବି ଧରାଯିବ

ଜଳେଶ୍ୱର: ୨୦୨୩ ଜାନୁଆରି ପହିଲାରୁ ଏଯାଏ ବାଲେଶ୍ୱର ଜିଲ୍ଲାରେ ୨୫ଟି ବ୍ରାଉନ୍‌ସୁଗାର ମାମଲା ସାମ୍ନାକୁ ଆସିଛି। ସେଗୁଡ଼ିକ ମଧ୍ୟରୁ ୨୦୨୩ରେ ୨୦ଟି ମାମଲା ଏବଂ ୨୦୨୪ରେ ୫ଟି ମାମଲା ଏବେ ବିଚାରାଧୀନ ରହିଛି। ସେହିପରି ମାମଲାରେ ଗିରଫ ହୋଇଥିବା ୩୦ ଜଣ ବ୍ରାଉନ୍‌ସୁଗାର ବେପାରୀ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଅଛନ୍ତି। ଆଗାମୀ ସାଧାରଣ ନିର୍ବାଚନ, ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧିକ କାର୍ଯ୍ୟକଳାପକୁ ଆଖି ଆଗରେ ରଖି ଗତ ଜାନୁଆରି ମାସ ୧୫ ତାରିଖ ଦିନ ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସହ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ପଶ୍ଚିମ ମେଦିନୀପୁର ଓ ଝାଡ଼ଗ୍ରାମ ଜିଲ୍ଲାର ଏସ୍‌ପି ତଥା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଯେଉଁ ବୈଠକରେ ବାଲେଶ୍ୱର ଏସ୍‌ପି ସାଗରିକା ବ୍ରାଉନ୍‌ସୁଗାର କାରବାର ରୋକିବା ନେଇ ପଶ୍ଚିମବଙ୍ଗ ପୁଲିସର ସହାୟତା ଲୋଡ଼ିଥିଲେ। ପଶ୍ଚିମବଙ୍ଗ ପୁଲିସ ମଧ୍ୟ ସହାୟତା ଯୋଗାଇବ ବୋଲି ଆଶ୍ୱାସନା ଦେଇଛି। ଫଳରେ ଆଉ ଯେଉଁ ଦୁର୍ବୃତ୍ତମାନେ ବ୍ରାଉନ୍‌ସୁଗାର କାରବାର ଚଳାଇଛନ୍ତି, ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ସାଗରିକା ଗଣମାଧ୍ୟମକୁ କହିଛନ୍ତି।