ବାରିପଦା: ବାରିପଦା ସହର ସମେତ ଉପକଣ୍ଠ ଅଞ୍ଚଳରେ ଖୁଲମଖୁଲା ଚାଲିଛି ଧଳାଜହର ବେପାର। ହେଲ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ଏହାର ଟେର୍ ନ ପାଇବା ଏବଂ ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ସ୍ବତନ୍ତ୍ର ଟିମ ଚଢଉ କରି ୧୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ସହ ଜଣେ ମହିଳାଙ୍କୁ ଗିରଫ କରିବା ଘଟଣା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଅଧୀକ୍ଷକ ସିଦ୍ଧେଶ୍ୱର ବେହେରାଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍ ଆଜି ସକାଳେ ୨୦ ନମ୍ବର ୱାର୍ଡ ଶୁନଗଡିଆ ଅଞ୍ଚଳରେ ଚଢଉ କରି ୧୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ। ଯାହାର ଅନୁମାନିକ ମୂଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ। ଏହି ଘଟଣାରେ ମହିଳା ବେପାରୀ ହାପୋ ଘଡ଼େଇ (୩୦)ଙ୍କୁ ଗିରଫ କରାଯାଇଛି। ୨୯୧/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଅଧୀକ୍ଷକ ଶ୍ରୀ ବେହେରା କହିଛନ୍ତି। ଚଢ଼ଉରେ ରାଜ୍ୟ ଅବକାରୀ ଫ୍ଲାଇଂ ଟିମ୍ର ଆଇଆଇସି ଦିଲ୍ଲୀପ କୁମାର ବେହେରା, ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ସବ୍ଇନ୍ସପେକ୍ଟର ସଚିନ ବେହେରା, ଏଏସ୍ଆଇ ପ୍ରଦୀପ ବେହେରା, ବ୍ରଜକିଶୋର ବିନ୍ଧାଣୀ ପ୍ରମୁଖ ସାମିଲ ଥିଲେ।
ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ ନାମକୁ ମାତ୍ର ଚାଲିଛି। କର୍ମଚାରୀ ଅଭାବ କହି ସ୍ଥାନୀୟ ଅବକାରୀ ବିଭାଗ ଚୁପ୍ ବସିଛି। ପୁଲିସ ଓ ଅବକାରୀ ବିଭାଗର ନିରବତାର ସୁଯୋଗ ନେଇ ଧଳା ଜହର ବେପାରୀ ସକ୍ରିୟ ହୋଇପଡ଼ିଛନ୍ତି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ ବେପାର ହେଉଛି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମାଫିଆମାନେ ଏଥିରେ ସମ୍ପୃକ୍ତ ହେଉଛନ୍ତି। ଏ ନେଇ ପୁଲିସ ଓ ଅବକାରୀ ବିଭାଗର ଭୂମିକା ସନ୍ଦେହ ଘେରରେ ରହୁଛି। ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ସୂଚନା ମୁତାବକ, ଚୋରା ନିଶା କାରବାର ଓ ବେପାରୀଙ୍କ ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଛି। ସେହିଭଳି ବାରିପଦା ଟାଉନ୍ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତିଙ୍କ କହିବା କଥା ହେଲା ପାଟ୍ରୋଲିଂ ଚାଲିଛି। ନିଶା କାରବାର ରୋକିବା ନେଇ ପୁଲିସ କଡ଼ା ନଜର ରଖିଛି ବୋଲି ସେ କହିଛନ୍ତି।