ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ଅପରାଧିକ କାର୍ଯ୍ୟକଳାପ ବହୁମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଅନ୍ତଃରାଜ୍ୟ ଠକ ଦଳଠାରୁ ଆରମ୍ଭକରି ନକଲି ନୋଟ୍‌ ତିଆରୁଥିବା ଅପରାଧି, ଲୁଟେରାଙ୍କ ଉପସ୍ଥିତି ପର୍ଯ୍ୟନ୍ତ; ପୁଣି ଛୋଟବଡ଼ ଚୋରି, ଲୁଟ୍‌ ଆଦି ନିତିଦିନିଆ ହେଲାଣି। ଏମିତିକି ନକଲି ବିଦେଶୀ ମଦ, ଦେଶୀ ମଦ, ଗଞ୍ଜେଇ ଆଦି ନିଶା କାରବାର ଥମୁନଥିବାବେଳେ ସଂପ୍ରତି ବ୍ରାଉନସୁଗାର ବେପାର କାୟା ବିସ୍ତାର କରିସାରିଲାଣି। ବର୍ତ୍ତମାନ ସହରରେ ୧୦ରୁ ଅଧିକ ବ୍ରାଉନସୁଗାର ବେପାରୀ ଥିବା କୁହାଯାଉଛି। ଏମାନେ କେବଳ ରାଉରକେଲାରେ ବ୍ୟବସାୟ କରୁନାହାନ୍ତି, ବରଂ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବିଶ୍ରା, ବୀରମିତ୍ରପୁର ଅଞ୍ଚଳକୁ ମଧ୍ୟ ମାଡ଼ିଗଲେଣି। ବିଡ଼ମ୍ବନା, ଏମାନେ କାଁ ଭାଁ ଧରାପଡ଼ୁଛନ୍ତି। ଏମାନଙ୍କୁ କାବୁ କରିବାକୁ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପୁଲିସ ସଫଳ ହେଉନି।

Advertisment

ଉଲ୍ଲେଖଯୋଗ୍ୟ, ପ୍ରାୟ ମାସକ ପୂର୍ବେ, ଅର୍ଥାତ୍‌ ଗତ ନଭେମ୍ବର ୮ ତାରିଖରେ ସହରର କେନ୍ଦ୍ରସ୍ଥଳ ଉଦିତନଗର ବିରଜାପଲ୍ଲୀ ନିକଟରୁ ପ୍ରାୟ ୧ ଲକ୍ଷ ୭୫ ହଜାର ଟଙ୍କାର ୧୬.୭୫୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିଲା। ଦିନ ଦ୍ବିପ୍ରହରରେ ଅଭିଯୁକ୍ତ ଏକ ନୂଆ କାର୍‌ରେ ବୁଲି ବୁଲି ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଅବକାରୀ ପୁଲିସ ଅଭିଯୁକ୍ତ ଗୋପବନ୍ଧୁପଲ୍ଲୀର ବାବୁ ସିଂହ(୫୨)ଙ୍କୁ ଗିରଫ କରିଥିଲା। ଗତ ୨୦୨୧ ଜୁଲାଇ ୯ ତାରିଖରେ ମଧ୍ୟ ସ୍ଥାନୀୟ ଗାନ୍ଧୀରୋଡ୍‌ ଅଞ୍ଚଳରୁ ୩ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିଲେ। ଏମାନେ ମଧ୍ୟ ବୁଲିବୁଲି ବିକ୍ରି କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ୧୮.୩୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତ ମହମ୍ମଦ ଅଲୀ ହୁସେନ, ସୋନୁ ସରକାର ଓ ମହମ୍ମଦ ଅଫସାର୍‌ଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ବିଗତ ଦିନରେ ଏଭଳି ଏକାଧିକ ଘଟଣାର ନଜିର ରହିଛି। ତେବେ ୨୦୧୮ ମସିହାରେ ଜଣେ ମହିଳା ବ୍ରାଉନସୁଗାର ବେପାରରେ ସଂଶ୍ଲିଷ୍ଟ ଥିବା ଘଟଣା ପ୍ରଘଟ ହେବା, ସେତେବେଳେ ଚହଳ ପକାଇଥିଲା। ୨୦୧୮ ମସିହା ଜୁନ ୧୧ ତାରିଖରେ ପ୍ଲାଣ୍ଟ୍‌ସାଇଟ ପୁଲିସ ସ୍ଥାନୀୟ ମୀନା ପଡ଼ାର ସୁରେସା ଖାତୁନଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ନୁରେସାଙ୍କ ପାଖରୁ ପ୍ରାୟ ୨୦ ଗ୍ରାମ ବ୍ରାଉନସୁଗାର ସହ ନଗଦ ୧ ଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଥିଲା।

ରାଉରକେଲାରୁ ସୁନ୍ଦରଗଡ଼-ରାଜଗାଙ୍ଗପୁର-ବୀରମିତ୍ରପୁରକୁ ଚାଲାଣ
ପୂର୍ବରୁ ମୁମ୍ବାଇରୁ ହିଁ ଟ୍ରେନ୍‌ରେ ରାଉରକେଲାକୁ ବ୍ରାଉନସୁଗାର ଚାଲାଣ କରାଯାଉଥିଲା। ଏବେ କିନ୍ତୁ ବ୍ୟବସାୟୀମାନେ ପଶ୍ଚିମବଙ୍ଗର ମୁର୍ସିଦାବାଦ, ଖଡ଼ଗପୁର, ମେଦିନିପୁର ସମେତ ବାଲେଶ୍ବରରୁ ସହରକୁଚାଲାଣ କରୁଛନ୍ତି। ବାଲେଶ୍ବରରେ ଆଡା ଜମାଇଥିବା ମାଫିଆଙ୍କ ଟାର୍ଗେଟ୍‌ରେ ରାଉରକେଲା ଥିବା ନେଇ ପୂର୍ବରୁ ଏସ୍‌ଟିପିଏଫ୍‌ ମଧ୍ୟ ଖୁଲାସା କରିସାରିଛି। ଖଡ଼ଗପୁରରୁ ସିଧାସଳଖ ଟ୍ରେନ୍ ଯୋଗେ ରାଉରକେଲାକୁ ବ୍ରାଉନସୁଗାର ଆସୁଛି। ଏତଦ୍‌ବ୍ୟତୀତ ମୁର୍ସିଦାବାଦ-ମେଦିନିପୁର ଅଞ୍ଚଳରୁ ସ୍ବତନ୍ତ୍ର କାର୍ ଯୋଗେ ଓଡ଼ିଶା ସୀମାନ୍ତ ବାଲେଶ୍ବର ଦେଇ ରାଉରକେଲାକୁ ଆମଦାନୀ ହେଉଛି। ଅନ୍ୟ ନିଶା ଦ୍ରବ୍ୟ ତୁଳନାରେ ବ୍ରାଉନସୁଗାରର ଦର ଢ଼େର୍‌ ଅଧିକ। ଏହାର ପ୍ରତି ଗ୍ରାମ୍‌ ପିଛା ଦର ପ୍ରାୟ ୧୦ ହଜାର ଟଙ୍କା ଥିଲେ ମଧ୍ୟ ରାଉରକେଲାରେ ଏହାର ଚାହିଦା ଢ଼େର୍‌ ଅଧିକ ରହିଛି।

publive-image

ତେବେ ଅପେକ୍ଷାକୃତ ସମ୍ଭ୍ରାନ୍ତ ପରିବାରର ଯୁବ ଗୋଷ୍ଠି ହିଁ ଏହାର ଗ୍ରାହକ ସାଜିଛନ୍ତି। ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ ବେପାରୀମାନେ ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ଥିବା ଦୋକାନରେ ବିକ୍ରି କରୁଛନ୍ତି। ତେବେ ଅର୍ଦ୍ଧାଧିକ କାରବାର ଫୋନ ମାଧ୍ୟମରେ ହିଁ ହେଉଛି। ଗ୍ରାହକ ପ୍ରଥମେ ବେପାରୀଙ୍କୁ ଫୋନରେ ଯୋଗାଯୋଗ କଲାପରେ ସେମାନେ ନିଜ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚାଉଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ଏହି ନିଶାଦ୍ରବ୍ୟ ଉପଲବ୍ଧ। ତେବେ ପ୍ଲାଣ୍ଟ୍‌ସାଇଟ୍‌ ଥାନା ଅନ୍ତର୍ଗତ ଅଞ୍ଚଳ ହେଉଛି ଏହାର ପେଣ୍ଠସ୍ଥଳୀ। ଏମିତିକି ପ୍ଲାଣ୍ଟ୍‌ସାଇଟ୍‌ ଥାନା ପାଖରେ ଏକ ଗ୍ରୋସେରୀ ଦୋକାନରେ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେଲା ବିକ୍ରି କରୁଛନ୍ତି। ବେପାରୀମାନେ କେବଳ ରାଉରକେଲା ନୁହେଁ; ବରଂ ସୁନ୍ଦରଗଡ଼ ଟାଉନ୍‌, ବୀରମିତ୍ରପୁର, ବିଶ୍ରା, ରାଜାଗାଙ୍ଗପୁର ଆଦି ଅଞ୍ଚଳକୁ ମଧ୍ୟ ଚାଲାଣ କରୁଥିବା ଜଣାପଡ଼ିଛି। ବିଡ଼ମ୍ବନା ଏହା ଯେ, ଏହି ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିବାକୁ ପୁଲିସ ଶତ ପ୍ରତିଶତ ବିଫଳ ହୋଇଛି। ଏମାନେ ନିରଙ୍କୁଶଭାବେ ବେପାର କରିଚାଲିଥିବାବେଳେ ପୁଲିସ/ଅବକାରୀ ବିଭାଗ ଏମାନଙ୍କର ଟେର୍‌ ବି ପାଇପାରୁନି।