ସମ୍ବଲପୁର: ସମ୍ବଲପୁର ସହରରେ ଅପରାଧ ସଂଖ୍ୟା ପ୍ରତି ବର୍ଷ ବଢି ଚାଲିଛି। ସହରର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଅନେକ ସମୟରେ ଅପରାଧୀମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି। ଅପରାଧ ନିୟନ୍ତ୍ରଣରେ ସମ୍ବଲପୁର ପୁଲିସ ବିଫଳ ହେଉଥିବାବେଳେ ଅପରାଧର ଉତ୍ସ କହା ଯାଉଥିବା ନିଶା କାରବାର ଉପରେ ମଧ୍ୟ ରୋକ ଲଗାଇ ପାରୁ ନାହିଁ। ଏସବୁ ଭିତରେ ସହରରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ସହର ସାରା ବେଧଡ଼କଭାବେ ଏହି କାରବାର ହେଉଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିଛି। ବ୍ରାଉନ ସୁଗାର ମାଫିଆମାନେ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଟାର୍‌ଗେଟ୍‌ କରି ନିଜ କଳା ବ୍ୟବସାୟ ବିସ୍ତାର କରୁଛନ୍ତି। ସମ୍ବଲପୁର ସହରରେ ଡିଅର ପାର୍କ ରାସ୍ତା, ବୁଢ଼ାରଜା ପାହାଡ଼, ପାନ୍ଥନିବାସ ରାସ୍ତା, ବୁର୍ଲା, ହୀରାକୁଦ ଆଦି ସ୍ଥାନରେ ଏହି ଧଳା ଜହର କାରବାର ହେଉଛି।

Advertisment

୨୦୨୦ ମସିହା ପୂର୍ବରୁ ସମ୍ବଲପୁର ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ବ୍ରାଉନ ସୁଗାର ମୁକ୍ତ ଥିଲା। ୨୦୨୦ ପରଠାରୁ ସହରରୁ ଏକାଧିକବାର ବ୍ରାଉନ ସୁଗାର ଜବତ ହୋଇସାରିଛି। କିନ୍ତୁ ଏଯାଏ ପୁଲିସ ଏହାର ମୂଳକୁ ପହଞ୍ଚି ଅସଲ ଅପରାଧୀଙ୍କୁ ଧରିବାରେ ବିଫଳ ରହିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି। ବଡ଼ ମାଛ ଧରିବାକୁ ପୁଲିସ ପଛଘୁଞ୍ଚା ଦେଉଥିବାରୁ ଏହା ଏବେ ସହର ସାରା ବ୍ୟାପି ସାରିଛି। ମାଫିଆମାନେ ଚତୁରତାର ସହ ଅଳ୍ପ ଅଳ୍ପ କରି କାରବାର କରୁଥିବାରୁ ପୁଲିସ ମଧ୍ୟ କିଛି କରିପାରୁନି। ମୋବାଇଲ୍ ପଛ କଭର, ଘଣ୍ଟା ତଳ, ପ୍ୟାଣ୍ଟ ଓ ସାର୍ଟର ଗୋପନ ପକେଟ୍ ଭିତରେ ଛୋଟଛୋଟ ପ୍ୟାକେଟ୍ ରଖି ଏହି କାରବାର କରୁଛନ୍ତି। ଯାହାର ଟେର୍ ପୁଲିସ ବି ପାଇପାରୁନି। ଯଦି କେବେ ଧରୁଛି, ଅଳ୍ପ ପରିମାଣର ହୋଇଥିବାରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ବି ନେଇ ପାରୁନି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖରାପ କରୁଥିବାରୁ ଏଭଳି ନିଶା କାରବାର ରୋକିବାକୁ ପୁଲିସ ନିଷ୍ଠାପର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।