ପୁଲିସ ଇନ୍‌ଫର୍ମର କହି ଧଳାଜହର ବେପାର!

ଅସାଧୁ ପୁଲିସ ଅଧିକାରୀଙ୍କ ଅଡିଓକୁ କରିଛନ୍ତି ଅସ୍ତ୍ର

ଜଳେଶ୍ବର: ଯେତେ ଚଢ଼ଉ, ଧରପଗଡ଼ ହେଲେ ବି ନିଶା କାରବାରରେ ଅଙ୍କୁଶ ଲାଗିପାରୁନି। ଧଳାଜହର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଜଳେଶ୍ବର ଅଞ୍ଚଳରେ ରାଜ୍ୟ ଏସ୍‌ଟିଏଫ୍‌ କଡ଼ା ନଜର ରଖିବା ସହ ସ୍ବତନ୍ତ୍ର ଟିମ୍‌ ଦ୍ବାରା ଚଢ଼ଉ କରୁଛି। ସେପଟେ ସ୍ଥାନୀୟ ପୁଲିସ ମଧ୍ୟ ଚଢ଼ଉ ଅଭିଯାନରେ ସାମିଲ ହେଉଛି। ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ନିଶା କାରବାର ଥମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି।

ଧଳାଜହର କାରବାରର ଅନେକ ପୁରୁଣା ତରିକାକୁ ଏବେ ମାଫିଆମାନେ ବଦଳାଇ ଦେଇଛନ୍ତି। ମାଫିଆମାନେ ନିଜକୁ ପୁଲିସ ଇନ୍‌ଫର୍ମର କହି ଧଳାଜହର କାରବାରରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏମିତିକି  ସେମାନେ ଛୋଟ ଛୋଟ ବେପାରୀଙ୍କଠାରୁ ମାସକୁ ମାସ ଚାନ୍ଦା ଆଦାୟ ମଧ୍ୟ କରୁଥିବା ଜଣାପଡ଼ିଛି। ଯେଉଁ ବେପାରୀଙ୍କଠାରୁ ଚାନ୍ଦା ମିଳୁନି, ସେମାନଙ୍କୁ ପୁଲିସ ହାତରେ ଧରାଇ ଦିଆଯାଉଛି। ନିଜକୁ ପୁଲିସ ଇନ୍‌ଫର୍ମର ବୋଲି କହୁଥିବା ନିଶା ମାଫିଆଙ୍କ ତାଲିକାରେ ଜଳେଶ୍ବର ଅଞ୍ଚଳର ୫ରୁ ୬ ଜଣ ରହିଛନ୍ତି। ଯେଉଁମାନଙ୍କ ପାଖରେ ଅର୍ଥ ଓ ଧଳାଜହର କାରବାର ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଫୋନ୍‌ କଲ୍ ରେକର୍ଡ ଥିବା କଥ‌ା‌ କୁହାଯାଉଛି। ଉକ୍ତ ଅଡିଓ ବଳରେ ସେମାନେ ଶକ୍ତିଶାଳୀ ହୋଇଯାଇଛନ୍ତି। ଅସଲ ଚେହେରା ପଦାକୁ ଆସିବା ଭୟରେ ସେମାନଙ୍କ ଦେହରେ ପୁଲିସ ହାତ ମାରିବା ପାଇଁ ସାହସ କରିପାରୁନାହିଁ। ନିକଟରେ ସ୍ଥାନୀୟ ଲୋକଙ୍କ ସୂଚନା ଓ ଅଭିଯୋଗକୁ ଆଧାର କରି ପୁଲିସ ଶାସନବାଡ଼ସ୍ଥିତ ସୁବର୍ଣ୍ଣରେଖା ନଦୀବନ୍ଧରୁ ଜଣେ ନିଶା ବେପାରୀଠାରୁ ଧଳାଜହର ଜବତ କରିଥିଲା। ହେଲେ ଦୁଇଦିନ ପରେ ଜବତ ଧଳାଜହର ପରିମାଣ ସ୍ବଳ୍ପ ଦେଖାଇ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଙ୍କୁ ଛଡ଼ାଯାଇଥିବା ଜନୈକ ପୁଲିସ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ସୂଚନାଦାତାରୂପୀ ନିଶା ମାଫିଆଙ୍କ ଆଧିପତ୍ୟ ଓ ବ୍ଲାକ୍‌ମେଲ୍‌ର ଶିକାର ପୁଲିସ ଅଧିକାରୀଙ୍କ ବିବଶତା ଯୋଗୁଁ ଧଳାଜହର ବେପାର କାୟାବିସ୍ତାର କରୁଛି ବୋଲି ଜଳେଶ୍ବର ସହରର ବହୁ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ପୁଲିସ ଇନ୍‌ଫର୍ମର ଖବର ସତ୍ୟତା ସମ୍ପର୍କରେ ଜଳେଶ୍ବର ପୁଲିସ ଏସ୍‌ଡିପିଓ ଓ ଥାନା ଆଇଆଇସିଙ୍କ ସହ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର