୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ବେପାରୀଙ୍କ ସମେତ ୨ ଗିରଫ

ଜଳେଶ୍ବର: ଆଜି ଶୁକ୍ରବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲା ଅବକାରୀ ଡେପୁଟି କମିସନର ତଥା ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି।

ଅବକାରୀ ଉପ ଅଧୀକ୍ଷକ ସୁଶାନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଅବକାରୀ ଟିମ ପୂର୍ବ ଗୁଇନ୍ଦା ସୂଚନା ଆଧାରରେ ଜଳେଶ୍ବର ଟାଉନ ପଟୁ ଦ୍ରୁତବେଗରେ ଆସୁଥିବା ଏକ ଲାଲ ରଙ୍ଗର ମହିନ୍ଦ୍ରା ଜିତୋ ମିନି ଭ୍ୟାନ(ଓଡି୪୫ଜି-୨୬୧୨) ମଧ୍ୟରେ ଜଣେ ଡ୍ରାଇଭର ଓ ଅନ୍ୟ ଜଣେ ମହିଳା ଥିବା ଦେଖି ଅଟକାଇ ତଲାସି କରିଥିଲେ। ସେ ଦୁହିଁଙ୍କ ଠାରୁ ଉକ୍ତ ବ୍ରାଉନସୁଗାର ଜବତ ହୋଇଛି। ଏନେଇ ଜଳେଶ୍ବର ଅବକାରୀ ଥାନାରେ ଏକ ମାମଲା ୭୨/୨୧-୨୨ ରୁଜୁ କରାଯାଇ ଉକ୍ତ ଭ୍ୟାନର ଡ୍ରାଇଭର ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା କଚହୁଡ଼ି ଗ୍ରାମର ଚୈତନ୍ୟ ପାତ୍ରଙ୍କ ପୁଅ ପ୍ରଫୁଲ୍ଲ ପାତ୍ର (୪୧) ଓ ବିଂଝାରପୁର ଥାନା ମିରମହଲା ଗ୍ରାମର ସ୍ବର୍ଗତ ଶେଖ ଲୋକମାନଙ୍କ ପତ୍ନୀ ନଗମା ବେୱା (୬୦) ଗିରଫ କରାଯାଇଛି।

ଉକ୍ତ ଚଢାଉରେ ସଦର ଅବକାରୀ ଆଇଆଇସି ପ୍ରବୀଣ କୁମାର ପ୍ରଧାନ, ମୋବାଇଲ ସ୍କ୍ୱାଡ୍ ଆଇଆଇସି ଗାଲୁରାମ ସୋରେନ, ଜଳେଶ୍ବର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରା,ଏଏସଆଇ ଜୟମାଧଵ ଦାସପଟ୍ଟନାୟକ,କନେଷ୍ଟବଳ ରାଜୀବ କୁମାର ଭଞ୍ଜ, ରାମଚନ୍ଦ୍ର ମହାନ୍ତି, ଶଶୀଭୂଷଣ ସ୍ୱାଇଁ, ବିଦ୍ୟାଧର ବିନ୍ଧାଣି, ରଶ୍ମିରେଖା ପାତ୍ର, କୁମୁଦିନି ସୋ ପ୍ରମୁଖ ସାମିଲ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତମାନେ ଜବତ ବ୍ରାଉନସୁଗାର ରାଜପୁର ବସ୍ତିର ବ୍ରାଉନସୁଗାର ମାଫିଆ କାଲା ବାବୁଙ୍କ ଠାରୁ କିଣି ନେଇ ନିଜ ସହିତ ଯାଜପୁର ଜିଲ୍ଲାକୁ ନେଇଯାଉଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର