ଜଟଣୀ ଅଞ୍ଚଳରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଜଟଣୀ : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳରୁ ଦେଢ଼ କିଲୋ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ । ଏହି ଘଟଣାରେ ୩ ଜଣ ଗିରଫ ବି ହୋଇଛନ୍ତି । ଗତକାଲି ଜଟଣୀ ଅଞ୍ଚଳରେ ବଡ଼ ଧରଣର ବ୍ରାଉନସୁଗାର କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଏସଟିଏଫ ଖବର ପାଇଥିଲା । ଏହାପରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

ତେବେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ଧରି ବେଧଡକ ବ୍ରାଉନସୁଗାର କାରବାର ଚାଲିଛି । ଏହାକୁ ଧରିବା ପାଇଁ ବଡ଼ ଧରଣର ଚଢ଼ାଉ ବି କରାଯାଇଛି । ବ୍ରାଉନସୁଗାର କାରବାର ପଛରେ ଏକ ବଡ ଧରଣର ରାକେଟ୍ କାମ କରୁଥିବା ଜଣାଯାଇଛି । ବିଶେଷକରି ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଏହି ବ୍ରାଉନସୁଗାର ଭୁବନେଶ୍ୱରକୁ ଆସୁଛି । ପଡ଼ୋଶୀ ଦେଶକୁ ମଧ୍ୟ ଏହି ରାକେଟର ଚେର ଲମ୍ବିଛି ।

ଗତକାଲି ଅପରାହ୍ନରେ ବି ଜଟଣୀ ଓ ନୂଆପଲ୍ଲୀ ଥାନା ଅଞ୍ଚଳରେ କମିସନରେଟ ପୁଲିସର ଡ୍ରଗ ଟାସ୍କ ଫୋର୍ସ ଚଢ଼ାଉ କରି ୮୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ୩ଟି ବାଇକ୍, ୧୦୫୦ ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଜବତ ନିଶାଦ୍ରବ୍ୟ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଜଟଣୀ ଅଞ୍ଚଳରେ ହୋଇଥିବା ଚଢ଼ାଉରେ ୨ ଜଣଙ୍କୁ ଗିରଫ କରାଯାଇଥିଲା ।

ସେହିଭଳି ନୂଆପଲ୍ଲୀ ଅଞ୍ଚଳରେ ହୋଇଥିବା ଚଢ଼ାଉରେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଉଭୟ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ସେଦୁହିଁଙ୍କଠାରୁ ୫୨ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ୍, ଦୁଇଟି ମୋବାଇଲ ଫୋନ ଓ ୭୫୦ଟଙ୍କା ଜବତ କରାଯାଇଥିଲା ।

ସମ୍ବନ୍ଧିତ ଖବର