ଜଳେଶ୍ୱର: ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁରରେ ଜଳେଶ୍ୱର ପୁଲିସ ଓ ଅବକାରୀ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଛି। ଏହାଛଡ଼ା ଦୁଇ ବ୍ରାଉନସୁଗାର ମାଫିଆଙ୍କୁ ଅଟକ ରଖାଯାଇଛି।
ପୁଲିସ ଗାଡ଼ିର କାଚ ଭାଙ୍ଗି ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ପରିବାର ଲୋକେ ଛଡ଼ାଇ ନେଇଥିବାର ଖବର ମିଳିଛି। କିଛି ସମୟ ପାଇଁ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ଭଳି ଘଟଣା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଶେଖ୍ ସଲାଉଦିନଙ୍କ ଘରକୁ ଜଳେଶ୍ୱର ଥାନା ରାଜପୁର ଗ୍ରାମର ଶେଖ୍ କାଫାରୁଦିନଙ୍କ ସ୍ତ୍ରୀ ନୁରଜାହାଁ ବିବି ଆସିଥିଲେ। ସେ ସାଙ୍ଗରେ ବ୍ରାଉନସୁଗାର ଆଣିଥିଲେ ବୋଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ପୁଲିସ, ଜଳେଶ୍ୱର ଅବକାରୀ ଓ ବସ୍ତା ଅବକାରୀ ଆଜି ସକାଳ ସମୟରେ ସଲାଉଦିନଙ୍କ ଦୁଇ ପୁଅଙ୍କ ଘରେ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ନୁରଜାହାଁ ବିବିଙ୍କ ପାଖରୁ ବିପୁଳ ପରିମାଣରେ ବ୍ରାଉନସୁଗାର ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରାଯିବା ସହିତ ଜଣେ ମହିଳା ସମେତ ଦୁଇ ପୁରୁଷକୁ ଅଟକ ରଖିଥିଲା ବେଳେ ଘଟଣା ସ୍ଥଳରେ ପୁଲିସ ଅବକାରୀ ସହିତ ପରିବାର ପକ୍ଷରେ କିଛି ସମୟପାଇଁ ହାତାହାତି ହୋଇଥିଲା। ଶେଷରେ ପରିବାର ପକ୍ଷରୁ ପୁଲିସ ଗାଡ଼ି କାଚ ଭାଙ୍ଗି ଶେକ୍ ସାଲାଉଦିନଙ୍କ ପୁଅକୁ ଛଡ଼ାଇ ନେଇ ଫେରାର କରାଇ ଦେଇଥିଲେ। ଜଣେ ମହିଳା ଓ ଜଣେ ଯୁବକ ଅଟକ ଥିଲା ବେଳେ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ସହିତ ୩ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ନୁରଜାହାଁ ବିବି ଏବଂ ଶେଖ୍ ଆସିଦୁଲଙ୍କୁ ଅଟକ ରଖାଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Untitled-10.png)