ସ୍କୁଟିରୁ ଦୁଇଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଆଳି: ଗତକାଲି ରାତିରେ ଆଳି ପୁଲିସ ଦୁଇଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ସଂପୃକ୍ତ ଚୋରା ବେପାରୀକୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଳି ପୁଲିସ ରାତ୍ରି ପାଟ୍ରୋଲିଂରେ ଥିଲେ। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ଏକ ସ୍କୁଟି ଆରୋହୀ ଯୁବକକୁ ପୁଲିସ ସନ୍ଦେହରେ ଅଟକାଇଥିଲେ। ପଟ୍ଟାମୁଣ୍ଡାଇ ଆଡୁ ଆଳି ଅଭିମୁଖେ ଯୁବକ ସ୍କୁଟି (ଓଡି-୦୨ ଆର୍ ୨୭୪୮ରେ ଆସୁଥିବା ଜଣାପଡ଼ିଛି ।

ସ୍କୁଟି ଖୋଲି ଯାଞ୍ଚ କରିବା ପରେ ସ୍କୁଟିରୁ ୭ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ପୁଲିସ ଜବତ କରଯାଇଥିଲା। ଏଥି ସହିତ ସଂପୃକ୍ତ ଯୁବକକୁ ଗିରଫ କରିଥିଲା ପୁଲିସ। ଗିରଫ ଯୁବକ ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣଡିହା ଗ୍ରାମର ରମାକାନ୍ତ ଦାସ ଓରଫ ବାପି ବୋଲି ଆଳି ଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
କେବଳ ଆଳି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରଥମଥର ପାଇଁ ବ୍ରାଉନସୁଗାର ଜବତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର