୭ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳା ସମେତ୨ ଗିରଫ

ଖୋର୍ଦ୍ଧା: ଆଜି ବରୁଣେଇ ନିକଟରୁ ପୁଣି ବ୍ରାଉନ୍‌ସୁଗାର ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନାନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଇନସପେକ୍ଟର ଚନ୍ଦ୍ରଶେଖର ଜେନା, ଇନସପେକ୍ଟର ରଶ୍ମୀରଂଜନ ଦାସ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଚଢ଼ଉ କରିଥିଲେ । ବରୁଣେଇସ୍ଥ ଜିଟି ଗ୍ଲୋବାଲ୍ ସ୍କୁଲ ନିକଟରେ ପୁଲିସକୁ ଦେଖି ଦୁଇଜଣ ଯୁବକ ଦୁଇଟି ମୋଟର ସାଇକଲରେ ଖସିଯିବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେମାନଙ୍କୁ ନିକଟରୁ ୭୧ଗ୍ରାମ ବ୍ରାଉନ୍‌ସୁଗାର ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ ଜବତ କରାଯାଇଥିଲା ।

ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନ୍‌ସୁଗାର ସହ ଦୁଇଟି ମୋଟର ସାଇକଲ (ଓଡି ୩୩ ଜେ ୨୯୯୦ ଓ ସିଜି ୦୪ ଜେଡ୍ଆର୍ ୪୮୮୯) ଓ ନଗଦ ୨୦ହଜାର ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ଦୁଇଜଣ ବଦ୍ଧଶବର ସାହିର ହୁଲ୍ଲାସ ମହାନ୍ତି (୫୫) ଓ ମମତା ସେନାପତି (୨୪)ଙ୍କୁ ୩୫୪/୨୦୨୨ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ଏସ୍ଆଇ ଅଂଜଳି ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର