ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ଆଜି ଗୁରୁଜଙ୍ଗ ନାଦସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇ ୨ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ସହ ୨ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାନୁସାରେ, ଆଜି ସକାଳେ ଖୋର୍ଦ୍ଧା ନିକଟ ଗୁରୁଜଙ୍ଗ ନାଦସାହିର ନୃସିଂହ ସିଂହଙ୍କ ଘରେ ବ୍ରାଉନ୍ସୁଗାର କାରବାର ଚାଲୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶରେ ଏସଡିପିଓ ସୁଶୀଲ ମିଶ୍ର ଓ ଡେପୁଟି ଏସ୍ପି ତଥା ଟାଉନ୍ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏସ୍ଆଇ ସୁକାନ୍ତ ଦଳାଇ, ଏସ୍ଆଇ ପଦ୍ମଲୋଚନ ବେହେରା, ଏସ୍ଆଇ ସସ୍ମିତା ବେହେରା ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଉକ୍ତ ଘରେ ଦିନ ପ୍ରାୟ ସାଢ଼େ ୧୧ଟାରେ ଚଢ଼ଉ କରିଥିଲେ ।
ଚଢ଼ଉରେ ଘର ମାଲିକ ନୃସିଂହ ସିଂହ (୨୫) ଓ ଲିପ୍ସା ମହାପାତ୍ର ଓରଫ ଆଙ୍କାକ୍ଷା ଓରଫ ସିପି (୨୦)ଙ୍କ ନିକଟରୁ ୨୧ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିଲା । ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଏହସହ ସେମାନଙ୍କ ନିକଟରୁ ବ୍ରାଉନ୍ସୁଗାର ବିକ୍ରି ଲବ୍ଧ ୨୫ହଜାର ୫୨୦ଟଙ୍କା ନଗଦ ଓ ଗୋଟିଏ ୟାମାହା ସ୍କୁଟି (ଓଡି ୩୩ ଏସି ୨୦୦୫) ଜବତ କରାଯାଇଛି । ଏନେଇ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉଭୟଙ୍କ ବିରୋଧରେ ୨୮୩/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।