ଅବକାରୀ ବିଭାଗର ଚଢ଼ଉ: ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୂଗାର ଜବତ, ଜଣେ ଗିରଫ

ପୂରୀ/ଧଉଳି: ପୁରୀ ଅବକାରୀ ବିଭାଗ ମୋବାଇଲ ଟିମ ଆଜି ସକାଳ ୮ଟା ସମୟରେ ଉତ୍ତରା ଛକ ନିକଟରେ ଅତର୍କିତ ଚଢ଼ଉ କରି ଏକଯାତ୍ରୀବାହୀ ଅଟୋରେ ଯାଉଥିବା ଜଣେ ଚୋରା ବ୍ରାଉନସୁଗାର ବ୍ୟବସାୟୀ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି। ବ୍ରାଉନସୁଗାର ଚାଲାଣ କରୁଥିବା ବ୍ୟବସାୟୀ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଜିଲ୍ଲା ସାଗର ଡିଗି ଥାନା ଅଧୀନ ହରହରି ଗ୍ରାମର ଖୋକନ ଦାସ (୨୨)। ଉକ୍ତ ଟିମ ଖୋକନ ଠାରୁ ୩୦୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲା।

ତେବେ ଅଟୋ ଭିତରେ ଥିବା ଅନ୍ୟଜଣେ ସହଯୋଗୀ ବ୍ୟବସାୟୀ ଖସି ପଳାଇଥିବା ଜଣାପଡ଼ିଛି। ହେଲେ ଅବକାରୀ ଟିମ ଚୋରା ବ୍ରାଉନସୁଗାର ଚାଲାଣ ହେଉଥିବା ଅଟୋକୁ କିନ୍ତୁ ଜବତ କରିନଥିବା ସୂଚନା ମିଳିଛି। ପୁରୀ ସଦର ଅବକାରୀ ରେଞ୍ଜ ଇନ୍ସପେକ୍ଟର ମାନସୀ ସାହୁଙ୍କ ନେତୃତ୍ତ୍ବରେ ଏସଆଇ ରଙ୍କନିଧି ମଲ୍ଲିକଙ୍କ ସହାୟତାରେ ୧୦ ଜଣିଆ ଟିମ ଉତ୍ତରା ଛକରେ ଉକ୍ତ ଅଟୋକୁ ଯାଞ୍ଚ କରିବାରୁ ଖୋକନ ନିକଟରୁ ଉପରୋକ୍ତ ପରିମାଣର ବ୍ରାଉନସୁଗାର ମିଳିଥିଲା। ଅନୁରୂପ ଭାବେ ନିକଟରେ ପିପିଲି ଥାନା ପୁଲିସ ଉତ୍ତରା ଛକରେ ଚଢ଼ଉ କରି ୯୭୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା।

 

ଅନ୍ୟପକ୍ଷରେ ଆଜି ବ୍ରାଉନ ସୁଗାର ଚାଲାଣ ମାମଲାରେ ଗିରଫ ହୋଇଥିବା ଖୋକନ ଜଣେ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀ ବୋଲି ଅବକାରୀ ଟିମ ଜାଣିବାକୁ ପାଇଛି। ଖୋକନର ନେଟୱାର୍କ ସୁଦୂର ପଶ୍ଚିମ ବଙ୍ଗରୁ ବାଲେଶ୍ବର, ଜଳେଶ୍ବର, ଭୁବନେଶ୍ବର, ପିପିଲି, ଧଉଳି ଓ ବାଳକାଟି ଅଞ୍ଚଳକୁ ଲମ୍ବିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ପୁରୀ ଜିଲ୍ଲା ଅବକାରୀ ସ୍କ୍ବାର୍ଡ଼ ରୢାକେଟରେ ସଂପୃକ୍ତ ଅନ୍ୟମାନଙ୍କୁ ଠାବ କରିବାକୁ ଚଢ଼ଉ ଜାରି ରଖିଥିବା ଜଣେ ଅଧିକାରୀ ଜଣାଞଇଛନ୍ତି। ଆଜି ଖୋକନ ଉକ୍ତ ଅଟୋରେ ବ୍ରାଉନସୁଗାର ନେଇ ପିପିଲି ଅଭିମୁଖେ ଯାଉଥିବା ବେଳେ ପୂର୍ବରୁ ଉତ୍ତରା ଛକରେ ଜଗି ରହିଥିବା ଅବକାରୀ ଟିମ ରାସ୍ତା ବ୍ଲକିଂ କରି କାବୁ କରି ନେଇଥିଲା।

ସମ୍ବନ୍ଧିତ ଖବର