ଓଡ଼ିଶା ରାଜନୀତିରେ ପାଦ ଦେଲା ବିଆରଏସ୍‌

କୋରାପୁଟ : ୨୦୨୪ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖରଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍) ଆଜି ଓଡ଼ିଶାରେ ରାଜନୀତିରେ ପାଦ ଥାପିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସମେତ କିଛି ପୂର୍ବତନ ବିଧାୟକ, ଚାଷୀ ନେତା ବିଧିବଦ୍ଧ ଭାବେ ବିଆରଏସ୍‌ରେ ସାମିଲ ହୋଇଛନ୍ତି। ତେଲେଙ୍ଗାନା ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନିଜେ ଚନ୍ଦ୍ରଶେଖର ଏହି ନେତାମାନଙ୍କୁ ବିଆର୍‌ଏସ୍‌କୁ ସ୍ବାଗତ କରିଥିଲେ। ବିଆର୍‌ଏସ୍‌ରେ ସାମିଲ ହୋଇଥିବା ଅନ୍ୟ ନେତାମାନେ ହେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ହେମା ଗମାଙ୍ଗ, ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ବୃନ୍ଦାବନ ମାଝୀ, ଦେବରାଜ ସେଠୀ, ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖ। ଏହି ତାଲିକାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ନାୟକଙ୍କ ନାମ ଥିଲେ ହେଁ, ଶ୍ରୀ ନାୟକ ବିଆରଏସ୍‌ରେ ଯୋଗଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଗମାଙ୍ଗ ପରିବାର ସମେତ କିଛି ପୂର୍ବତନ ସାଂସଦ, ବିଧାୟକ ମିଶିଲେ
ତାଲିକାରେ ନାମ ଅଛି, ଦେବାଶିଷ ମନା କଲେ ମିଶିନାହାନ୍ତି

ଶୁକ୍ରବାର ଦିନ ଓଡ଼ିଶା ରାଜନୀତିରେ ସମ୍ଭବତଃ ପ୍ରଥମଥର ପାଇଁ ଗୋଟିଏ ରୋଚକ ତଥ୍ୟ ଦେଖିବାକୁ ମିଳିଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ଗୋଟିଏ ସ୍ବତନ୍ତ୍ର ଚାଟାର୍ଡ ଫ୍ଲାଇଟ୍ ପଠାଇ ଓଡ଼ିଶାର ନେତାମାନଙ୍କୁ ହାଇଦ୍ରାବାଦ୍ ନେଇଥିଲେ। ସେଠାରେ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ପାଖାପାଖି ତିନିଶହ ନେତା ବିଆର୍‌ଏସ୍‌ରେ ଯୋଗଦେଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ବିଜେପି ନେତା ସ୍ନେହରାଜ ଦାସ, କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ଯୁବ କଂଗ୍ରେସ ସଭାପତି ରବୀନ୍ଦ୍ର ମହାପାତ୍ରଙ୍କ, ଫାଲଗୁନୀ ଶବର, ପି. ଗୋପାଳ ରାଓ, ମଳୟ ରଂଜନ ସ୍ବାଇଁ, ବିଜେପି ନେତା ପ୍ରସନ୍ନ ପାଢ଼ୀ, ପୂର୍ବତନ କଂ‌ଗ୍ରେସ ନେତା କୈଳାସ ମୁଖୀ, ଆଇନଜୀବୀ କ୍ଷୀରୋଦ ରାଉତ, ଯୁବନେତା ବିଷ୍ଣୁପ୍ରିୟ ନାୟକ, ଟ୍ରେଡ୍‌ ୟୁନିୟନ ଲିଡ୍‌ର ରକ୍ଷାକର ଅନୁପମ, ଯୁବନେତା ରଂଜିତ ପଟ୍ଟନାୟକ, ଯୁବନେତା ଜଗବନ୍ଧୁ ମହନ୍ତ, ଆଇନଜୀବୀ ସୂର୍ଯ୍ୟ ପାଢ଼ୀ, ପୂର୍ବତନ ଜିଲ୍ଲାପରିଷଦ କାଶୀନାଥ ବେହେରା, ଯୁବନେତା କୈଳାସ ଚନ୍ଦ୍ର ନାୟକ, ଏମ.ଡି ମନୱର ଅଲ୍ଲୀ, ଅମିତ କୁମାର ଜେନା, ପ୍ରମୋଦ କୁମାର ସାମନ୍ତରାୟ, ରାଜେଶ ପୁଟ୍ରା, ବିଜେପି ନେତା ଜନାର୍ଦ୍ଦନ ମହାନ୍ତି, ଦୀନେଶ ନାୟାର, ସୁଧୀର ଷଡ଼ଙ୍ଗୀ, ଯୁବନେତା ସୋମନାଥ ଖରା, ପ୍ରତାପ ଚୌଧୁରୀ, ମାଲକାନଗିରି ଜିଲ୍ଲା ପରଜା ସମାଜ ସଭାପତି ଘେନୁ ମୁଦୁଲି, ଡିପିବିପିର ହରିଶ୍ଚନ୍ଦ୍ର ଗୋଲରୀ, ଯୁବନେତା ଯୁଧିଷ୍ଠିର ନାୟକ, ସେମିଳିଗୁଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ରାଓ ପ୍ରମୁଖ ଯୋଗ ଦେଇଥିବା ଜଣାପଡ଼ିଛି।

ଆଦିବାସୀ ସଂପ୍ରଦାୟ, ତେଲୁଗୁ ଭାଷାଭାଷୀ ଓ ଚାଷୀଙ୍କ ଦଳ ବିଆରଏସକୁ ଓଡ଼ିଶାରେ ସକ୍ରିୟ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ଏହି ଅବସରରେ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ କୋରାପୁଟ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଲଢ଼େଇ ବିଜେଡି ଓ କଂଗ୍ରେସ ମଧ୍ୟରେ ହିଁ ହେବ। କୌଣସି ନୂଆ ଦଳ ସହ କଂଗ୍ରେସ ଲଢେଇ କରିବନି। ବିଆରଏସ ଭଳି ଅନେକ ଦଳ ଆସିବେ ଆଉ ଯିବେ ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ କହିଛନ୍ତି ଯେ, ବିଜେଡି ସହିତ ଲଢ଼ିବାରେ ଓଡ଼ିଶାରେ କେହି ନାହାନ୍ତି। ନବୀନ ସରକାର ଓଡ଼ିଶାବାସୀଙ୍କ ପାଇଁ ଅଛନ୍ତି ଓ ଆଉ ରହିଥିବେ। ଯେଉଁମାନେ ବିଆରଏସ୍‌ ଦଳରେ ମିଶିଛନ୍ତି ସେମାନଙ୍କ ପ୍ରଭାବ ଓଡ଼ିଶାରେ କିଛି ପଡ଼ିବ ନାହିଁ। ଏହା କେବଳ ଧୂଆଁବାଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର