ଦେବଗଡ଼ : ଦେବଗଡ଼ ସହରର ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ୍‌ ସମ୍ମୁଖରେ ସଂପୃକ୍ତ କମ୍ପାନିର ଜଣେ ମହିଳା କର୍ମଚାରୀଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ମୃତ ଯୁବତୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜୟନାରାୟଣ ସାହୁଙ୍କ ଝିଅ ରୀତା ସାହୁ (୨୫ ବର୍ଷ)। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ସୂଚନା ଅନୁସାରେ, ରୀତା ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଭାରତ ଅଫିସ୍‌ରୁ କାମ ସାରି ନିଜ ସ୍କୁଟିରେ ତାଙ୍କ ଭଡ଼ା ଘରକୁ ବାହାରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ରୀତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ରୀତା ସ୍କୁଟିରୁ ପଡ଼ିଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ ଉପରେ ପଥର କଚାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟପଟେ ହତ୍ୟା ସମୟରେ ଅଫିସ୍‌ର ମୁଖ୍ୟ ଫାଟକକୁ ଦୁର୍ବୃତ୍ତମାନେ ବନ୍ଦ କରିଦେଇଥିଲେ। ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଘଟଣା ସଂପର୍କରେ ଦେବଗଡ଼ ଥାନାକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧା‌ର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ଦେବଗଡ଼ ଏସ୍‌ପି ପ୍ରମୋଦ ରଥ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏକତରଫା ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ର ଏକ ଟିମ୍‌ ଜିଲ୍ଲା ବାହାରେ ଚଢ଼ଉ କରୁଛି।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ରୀତାଙ୍କ ସ୍କୁଟି, ଚପଲ ସହ ସେଠାରେ ପଡ଼ିଥିବା ରକ୍ତ ନମୁନା ଜବତ କରାଯାଇଛି। ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରାଯାଉଥିବା ବେଳେ ଦେବଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ଏସ୍‌ପି ଶ୍ରୀ ରଥ ସୂଚନା ଦେଇଛନ୍ତି। ରୀତା ଗତ ଦେଢ଼ ମାସ ତଳେ ଭାରତ ଫାଇନାନ୍ସ ଅଫିସ୍‌ରେ ଯୋଗ ଦେଇଥିଲେ। ସହରର ଏକ ଘର ଭଡ଼ା ନେଇ ରହୁଥିଲେ। ନିଜ ଚାକିରିରେ ବେଶ ଖୁସି ଥିବା ତାଙ୍କ ସହକର୍ମୀମାନେ କହିଛନ୍ତି।