ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଜେ. ରାଏବଗା ଝରାକାନି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଦୁଇସାଙ୍ଗଙ୍କୁ ଲୁହା ହାତୁଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।ମୃତକ ହେଲେ, ଝରାକାନି ଗାଁର ରଂଜିତ ମଗଧା ଓ ତାଙ୍କ ସାଙ୍ଗ ସୁନ୍ଦରଗଡ଼ ଟାଉନଥାନା ପତ୍ରାପଡ଼ାର ରାଧେ ରକ୍ସା। ରାଧେଙ୍କୁ ସୋମବାର ରାତିରେ ଏବଂ ରଂଜିତଙ୍କୁ ମଙ୍ଗଳବାର ସକାଳେ ଜେ. ରାଏବଗା ହାଇସ୍କୁଲ ପଛପଟ ପଡ଼ିଆରେ ହତ୍ୟା କରାଯାଇଛି। ହସ୍ତଗତ ସୂଚନା ଅନୁସାରେ, କିଛିଦିନ ପୂର୍ବରୁ କୌଣସି କଥାକୁ ନେଇ ରଂଜିତ ଓ ହତ୍ୟା ଅଭିଯୁକ୍ତମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରଂଜିତ ରବିବାର ମଗଧାପଡ଼ାର ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ଥାନାରେ ସମ୍ପୃକ୍ତ ଯୁବକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

Advertisment

ଏହାପରେ ରଂଜିତ ଉତ୍‌କ୍ଷିପ୍ତ ହୋଇଥିଲେ। ସୋମବାର ସନ୍ଧ୍ୟାରେ ରଂଜିତ ଓ ତାଙ୍କ ସାଙ୍ଗ ରାଧେ ମଗଧାପଡ଼ା, କୁରୁକୁରପଡ଼ା ଓ ମଝାପଡ଼ାରୁ କିଛି ଯୁବକଙ୍କୁ ମାଡ଼ ମାରିଥିଲେ। ଏଥିରେ ଅଭିଯୁକ୍ତମାନେ ଉତ୍ତେଜିତ ହୋଇ ରଂଜିତ ଓ ରାଧେଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଗତକାଲି ରାତିରେ ଅଭିଯୁକ୍ତମାନେ ରାଧେଙ୍କୁ ପାଇ ନିସ୍ତୁକ ପିଟିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମଙ୍ଗଳବାର ସକାଳେ ଘର ପାଖରେ ଠିଆ ହୋଇଥିବା ରଂଜିତଙ୍କୁ ୭ରୁ ୮ ଜଣ ବ୍ୟକ୍ତି ଆସି ଗୋଡ଼ାଇ ଗୋଡ଼ାଇ ଲୁହା ହାତୁଡ଼ିରେ ପିଟି ପିଟି ମାରି ଦେଇଥିଲେ। ତେବେ, ଲୋକଙ୍କ ଆଖି ଆଗରେ ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ମଧ୍ୟ କେହି ଏହାର ପ୍ରତିରୋଧ ନକରି କେବଳ ଦେଖଣାହାରୀ ସାଜିଥିଲେ। ଯାହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।