ନିର୍ଦ୍ଦୟ ସାଜିଲେ ସାବତ ମା’, ଜନ୍ମକଲା ବାପା: ଅଧିକ ଖାଇବାକୁ ମାଗିଲା ବୋଲି ଝିଅକୁ ହତ୍ୟା

ପିଟିପିଟି ମାରିଦେଲେ,୨ ଅଭି‌ଯୁକ୍ତ କୋର୍ଟଚାଲାଣ

ଦିଗପହଣ୍ଡି: ଟିକେ ଅଧିକ ଖାଇବାକୁ ମାଗିବାରୁ ୬ ବର୍ଷୀୟ ନିଷ୍ପାପ ଝିଅକୁ ଜନ୍ମକଲା ବାପା ଓ ସାବତମା’ ପିଟିପିଟି ହତ୍ୟା କରିଛନ୍ତି। ମୃତକ ଝିଅଟି ହେଉଛି, ଏ.ତପସ୍ୟା। ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ବାପା ଏ.ଦିବାକର ଓ ସାବତମା’ ଏ.ମାନିନୀ ଓରଫ୍ ତଅପୋଇଙ୍କୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରୁ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି।

ମିଳିଥିବା ସୂଚନାନୁସାରେ, ଦିଗପହଣ୍ଡି ବଜାରସାହିର ମୂଳବାସିନ୍ଦା ଏ.ଦିବାକର ଦିଗପହଣ୍ଡି ଆଠଗଡ଼ିଆ ସାହିର କେ.ଭୀମଙ୍କ ଝିଅ କେ.ଶଶୀଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ। ଦୁଇ ବର୍ଷ ତଳେ ଯକ୍ଷ୍ମାରେ ପୀଡ଼ିତ ହୋଇ ଶଶୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଝିଅ ତପସ୍ୟା ତା’ର ଅଜା ଭୀମଙ୍କ ପାଖରେ ରହୁଥିଲା। ଇତିମଧ୍ୟରେ ଦିବାକର କୁକୁଡ଼ାଖଣ୍ଡି ଗ୍ରାମର ମାନିନୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଉଭୟ ଏକମାସ ହେଲା ଦିଗପହଣ୍ଡି ଏନ୍‌ଏସି ୫ ନମ୍ବର ୱାର୍ଡ଼ରେ ଏକ ଭଡ଼ାଘରେ ରହିଆସୁଥିଲେ। ଗତ ୩ ଦିନ ତଳେ ଦିବାକର ତାଙ୍କ ଝିଅ ତପସ୍ୟାକୁ ଶ୍ବଶୁର ଘରୁ ଡାକି ନେଇ ପାଖରେ ରଖିଥିଲେ। ଗତକାଲି ତପସ୍ୟା ରାତ୍ରୀଭୋଜନ ବେଳେ ଅଧିକା ଖାଇବାକୁ ମାଗିବାରୁ ମାନିନୀ ଉତ୍‌କ୍ଷିପ୍ତ ହୋଇ ତାକୁ ମାଡ଼ ମାରିଥିଲେ। ପରେ ବାପା ଦିବାକର ଏକ ବାଡ଼ିରେ ନିସ୍ତୁକ ଓ ଅମାନୁଷିକ ଭାବେ ମାଡ଼ ମାରିବାରୁ ତପସ୍ୟା ଅଚେତ ହୋଇ ପଡ଼ିବା ସହ ତାର କାନ ଓ ନାକରୁ ରକ୍ତ ବାହାରିଥିଲା। ଘଟଣାସ୍ଥଳରେ ହିଁ ତା’ର ଜୀବନଦୀପ ଲିଭିଯାଇଥିଲା।

ଏହାପରେ ଘଟଣାକୁ ଲୁଚାଇବାକୁ ଦିବାକର ଓ ଶଶୀ ଚେଷ୍ଟା କରିଥିଲେ। ଦିବାକର ତାଙ୍କ ସାନଭାଇ ସେନେୟା ପାଖକୁ ଯାଇ ତପସ୍ୟାର ମୃତ୍ୟୁ ଖବର ଦେଇଥିଲେ। କିନ୍ତୁ ସେନେୟାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ମୃତ ତପସ୍ୟାର ଅଜା ଓ ମାଉସୀଙ୍କୁ ଖବର ଦେଇଥିଲେ। ଅଜା କେ.ଭୀମ ପହଞ୍ଚି ନାତୁଣୀ ତପସ୍ୟାର କ୍ଷତବିକ୍ଷତ ଶବ ଦେଖି ଦିଗପହଣ୍ଡି ଥାନାରେ ସଂଗେ ସଂଗେ ଏତଲା ଦେଇଥିଲେ। ଭୀମଙ୍କ ଏତଲା କ୍ରମେ କେସ୍ ନମ୍ବର ୯୨ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ପରେ ପୁଲିସ ଅଭିଯୁକ୍ତ ବାପା ଦିବାକର ଓ ସାବତମା’ ମାନିନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଜବତ ହୋଇଛି।

ସମ୍ବନ୍ଧିତ ଖବର