କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ଭୀମଟାଙ୍ଗର ଗାଁରେ ୪୦ ବର୍ଷର ପୁରୁଣା ଜମି କିଣାକୁ ନେଇ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଡମଶାଳ ନାଳ ପାଖରେ ହତ୍ୟା କରି ମୃତଦେହକୁ ଫିଙ୍ଗି ଦିଆଯାଇଛି। ମୃତବ୍ୟକ୍ତି ଭୀମଟାଙ୍ଗର ଗାଁର ଅବସରପ୍ରାପ୍ତ ଟାଟାଷ୍ଟିଲ କର୍ମଚାରୀ ଉପେନ୍ଦ୍ର ମହାନ୍ତ (୬୩)। ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ଉପେନ୍ଦ୍ର। ଆଜି ତାଙ୍କ ଘରଠାରୁ ୫ଶହ ମିଟର ଦୂର ଡମଶାଳ ଟୁମ୍‌କି ନାଳ ପାଣିରେ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ମୃତଦେହ ଉପରେ ତାଙ୍କ ସାଇକଲଟି ପଡ଼ି ରହିଥିଲା। ହତ୍ୟାକାଣ୍ଡକୁ ନେଇ ଭୀମଟାଙ୍ଗର ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଗ୍ରାମବାସୀ ଓ ସଂପର୍କୀୟ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ।

Advertisment

ଖବର ପାଇ କାଳିଆପାଣି ଥାନା ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ର, ଏଏସ୍‌ଆଇ ପ୍ରଶାନ୍ତ କୁମାର ପଲେଇ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କଳିଙ୍ଗନଗର ଏଏସ୍‌ପି ସୁପ୍ରସନ୍ନ ନାୟକ ପହଞ୍ଚି ସୀମା ଅନୁଧ୍ୟାନ କରିଥିଲେ। ଏସ୍‌ପି ୟଶପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶରେ ଯାଜପୁର ଫରେନ୍ସିକ୍‌ ଟିମ୍‌ ଏଏସ୍‌ଓ ବିଜୟ କୁମାର ଓ ହାବିଲଦାର ପ୍ରତାପ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ। ସୀମା ନିର୍ଦ୍ଧାରଣ ପାଇଁ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ସହାୟତା ନିଆଯାଇଥିଲା। କାଳିଆପାଣି ସର୍କଲର ପୂର୍ବତନ ଆର୍‌ଆଇ ଦିଲୀପ କୁମାର ଚାତାର ଓ ଆର୍‌ଆଇ ପାଗରାଇ ଗିଲୁଆ ବିଭାଗୀୟ ମାନଚିତ୍ର ଓ ଜିପିଏସ୍‌ ସହାୟତାରେ ଜମିସୀମା ଚିହ୍ନଟ କରିଥିଲେ। 

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଏସ୍‌ଆଇ ଶାରଦା ପ୍ରସାଦ ସାମନ୍ତ ଓ ବିରାଶାଳ ଆର୍‌ଆଇ ତ୍ରିଲୋଚନ ପ୍ରଧାନ ପହଞ୍ଚି ମୃତଦେହ ପଡ଼ିଥିବା ସ୍ଥାନ କଙ୍କଡ଼ାହାଡ଼ ଥାନା ଇଲାକା ବୋଲି ସ୍ପଷ୍ଟ କରିଥିଲେ। କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର, କଙ୍କଡ଼ାହାଡ଼ ଥାନା ଅଧିକାରୀ କଳ୍ପନା ବେହେରାଙ୍କ ଉପସ୍ଥିତିରେ ନାଳ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତବ୍ୟକ୍ତିଙ୍କ ସାନପୁଅ ରଞ୍ଜନ କୁମାର ମହାନ୍ତଙ୍କ ଏତଲା ଆଧାରରେ କଙ୍କଡ଼ାହାଡ଼ ଥାନାରେ ଏକ ହତ୍ୟା ମାମଲା ୫୯/୨୫ ରୁଜୁ ହୋଇଛି। ଏତଲାରେ ଦର୍ଶାଯାଇଛି ଯେ ତାଙ୍କ ଜେଜେବାପା ସ୍ବର୍ଗତ ମକୁନ୍ଦ ମହାନ୍ତ ୪୦ ବର୍ଷ ପୂର୍ବରୁ କଙ୍କଡ଼ାହାଡ଼ ଥାନା ଗୋଡ଼ିସାହି ଗାଁର ରାମ ଦେହୁରୀଙ୍କଠାରୁ ୧୯ ଗୁଣ୍ଠ ଅନାବାଦୀ ଜମି କିଣିଥିଲେ। ଏଠାରେ ମକୁନ୍ଦଙ୍କ ୩ ପୁଅ ଉପେନ୍ଦ୍ର, ଲକ୍ଷ୍ମୀଧର ଓ ଗୋବିନ୍ଦ ମିଶି ଚାଷ କରିଆସୁଥିଲେ। ରାମଙ୍କ ଏକମାତ୍ର ପୁଅ ମଙ୍ଗରାଜ ଏହି ଜମିକୁ ନିଜର ପୈତୃକ ସମ୍ପତ୍ତି ଦର୍ଶାଇ ଜମି ଫେରସ୍ତ ଦାବି କରିଆସୁଥିଲେ। ଏହାକୁ ନେଇ ଗତ ୫ ବର୍ଷ ମଧ୍ୟରେ ୩ ରୁ ୪ ଥର ଆପୋସ ସମାଧାନ ହୋଇଥିଲା। ଉପେନ୍ଦ୍ର ଗତକାଲି ସନ୍ଧ୍ୟାରେ ସାଇକଲରେ ଗୋଡ଼ିସାହି ଯାଇଥିଲେ। ଯିବା ସମୟରେ ମଙ୍ଗରାଜ ତାଙ୍କୁ ଧମକ ଦେଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଆଧାର କରି କାଳିଆପାଣି ପୁଲିସ ମଙ୍ଗରାଜକୁ ଉଠାଇ ନେଇଛି।