ଚଢ଼େଇଧରା: କଳାପଥର କାରବାର ପାଇଁ ଧର୍ମଶାଳାରେ ଏବେ ଅରାଜକତା ସବୁ ସୀମା ଟପିଛି। ଏହାର ଫଳ ଭୋଗିଛନ୍ତି ଯାଜପୁର ଜେନାପୁର ଥାନା ଅଧୀନ ରାହାଡ଼ପୁର ମୌଜା ପଦ୍ମାବତୀ କ୍ରସରରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିବା ଅରଜିତ ଜେନା (୨୨)। ତାଙ୍କ ଦେହରେ ଗରମ ତେଲ ପକାଯିବା ସହିତ ଲୁହାଛଡ଼ରେ ଅତି ଅମାନୁଷିକ ଭାବେ ମାଡ଼ ମରାଯିବା ଫଳରେ ଛଟପଟ ହୋଇ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଗୁରୁବାର ସାରା ବିଶ୍ବ ଶ୍ରମିକ ଦିବସ ପାଳନ କରୁଥିବାବେଳେ ଅରଜିତ ବର୍ବରତାର ଶିକାର ହୋଇ ଆଖିବୁଜିବା ସମସ୍ତଙ୍କୁ ଆନ୍ଦୋଳିତ କରିଛି।
ଧର୍ମଶାଳା ଥାନା ଅଧୀନ ଜାରକାର ଅଜୟ କୁମାର ଜେନାଙ୍କ ଏକମାତ୍ର ପୁଅ ଅରଜିତ ଗତ ତିନିମାସ ହେଲା ପଦ୍ମାବତୀ କ୍ରସରରେ କାମ କରୁଥିଲେ। ଏହି କ୍ରସରକୁ ଜ୍ଞାନରଞ୍ଜନ ମହାପାତ୍ର ଓରଫ୍ ସିଲୁ ଚଳାଉଥିଲା। ତା’ ନିକଟରେ ଅରଜିତ ଚାକିରି କରିଥିବା ଏତଲାରେ ଦର୍ଶାଯାଇଛି। ଗତ ଏପ୍ରିଲ ୨୭ ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅରଜିତଙ୍କ ମୋବାଇଲକୁ ଯୋଗାଯୋଗ ହୋଇ ନ ପାରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ କ୍ରସର ନିକଟରେ ପହଞ୍ଚିଥିଲେ। ସେଠାରେ ଅରଜିତଙ୍କ ମା’ ଓ ସମ୍ପର୍କୀୟ ଭାଇ ଜାଣିବାକୁ ପାଇଲେ ଯେ କ୍ରସର ଚଳାଉଥିବା ମାଲିକ ସିଲୁ ତାଙ୍କ ପୁଅକୁ ଆରୁହା ଘରକୁ ନେଇଯାଇଛନ୍ତି। ପରେ ମା’ ଓ ସମ୍ପର୍କୀୟ ଭାଇ ଆରୁହାସ୍ଥିତ ସିଲୁଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଅରଜିତ କଳାପଥର ଟଙ୍କା ହଡ଼ପ କରିଥିବା ଅଭିଯୋଗ ଶୁଣିଥିଲେ। ପରିବାର ଲୋକେ ପୁଅକୁ ଦେଖିବା ପାଇଁ ଅନୁରୋଧ କରିଥିଲେ। ହେଲେ ପୁଅକୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିବା ଦେଖିବାକୁ ପାଇଥିଲେ। ଅରଜିତଙ୍କ ଦେହକୁ ଗରମ ତେଲ ପକାଇବା ସହ ଗରମ ଲୁହାଛଡ଼ରେ ବିଭିନ୍ନ ଜାଗାକୁ ଚେଙ୍ଖ ଦିଆଯାଇଥିଲା। ଏପରିକି ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ କରାଯାଇଥିଲା।
ମା’ ଓ ସମ୍ପର୍କୀୟ ଭାଇ ପୁଅକୁ ଡାକ୍ତରଖାନା ନେବାପାଇଁ କାକୁତି ମିନତି ହେବା ପରେ ମଧ୍ୟ ତାଙ୍କୁ ନ ଛାଡ଼ି ବନ୍ଧୁକ ଦେଖାଇ ଧମକ ଦିଆଯାଇଥିଲା ବୋଲି ଅରଜିତଙ୍କ ବାପା ଅଭିଯୋଗ କରିଛନ୍ତି। ପରେ ଏକାଧିକ ସାଧା କାଗଜରେ ଦସ୍ତଖତ କରାଇ ପୁଅକୁ ପରିବାର ସହ ଛାଡ଼ିଥିଲେ। ବିଳମ୍ବିତ ରାତି ପ୍ରାୟ ୨.୧୫ରେ ସେମାନେ ଘରେ ପହଞ୍ଚିଥିଲେ। ପରଦିନ ୨୮ ତାରିଖରେ ପୁଅକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ବିଗିଡ଼ିବାରୁ କଟକ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାର କିଛି ଘଣ୍ଟା ପରେ ୧ ତାରିଖ ଅପରାହ୍ଣରେ ଡାକ୍ତର ଅରଜିତଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଅରଜିତଙ୍କ ବାପା ଧର୍ମଶାଳା ଥାନାରେ କ୍ରସର ତଥା ରାହାଡ଼ପୁର ପାହାଡ଼ରେ ସୈରାତ ଥିବା ଜ୍ଞାନରଞ୍ଜନ ଓରଫ୍ ସିଲୁ ମହାପାତ୍ର, ତାଙ୍କ ଭଣଜା ଓ ମ୍ୟାନେଜରଙ୍କ ଶହ ଏକାଧିକ ଯୁବକଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ ବାଲିଚନ୍ଦ୍ରପୁର ଥାନା ଅଧୀନ ଚାରିନଙ୍ଗଳପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ସିଲୁର ଭଣଜା ସତ୍ୟନାରାୟଣ ବଳ ଓରଫ ରୋନି(୨୪)କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତ ସିଲୁ ଓ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ବର ତେଜିବାରେ ଲାଗିଛି।