କୋରେଇ : ପୁରୀ-ହାୱଡ଼ା ଚଳନ୍ତା ଟ୍ରେନ୍‌ରୁ ତଳକୁ ଠେଲିଦେଲେ ବଙ୍ଗୀୟ ଯାତ୍ରୀ। ଫଳରେ, ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଜଣେ ଯୁବକ ନିଜର ଡାହାଣ ଗୋଡ଼ଟି ହରାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଳବାଇ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ଯୁବକଜଣକ ପାଣିକୋଇଲି ଥାନା ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର ଧ୍ରୁବ ଚରଣ ସାହୁଙ୍କ ପୁଅ ହରିହର ଓରଫ ହରିଆ (୨୪)। ତାଙ୍କୁ ବଞ୍ଚାଇବାକୁ ଅନ୍ୟଜଣେ ଯୁବକ ଡେଇଁଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Advertisment

ହରିଆ ସାଙ୍ଗମାନଙ୍କ ସହ ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଇଥିଲେ। ପୁରୀ-ହାୱଡ଼ା ଏକ୍ସପ୍ରେସରେ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଟ୍ରେନ୍‌ଟି ହରିଦାସପୁରରେ ହୋଇଥିବା ବେଳେ କେତେକ ବଙ୍ଗୀୟ ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା। ସଂପୃକ୍ତ ଅଣଓଡ଼ିଆ ଯୁବକଙ୍କ ମଧ୍ୟରୁ କେହି ହରିଆଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେଇଥିବା ତାଙ୍କର ସହଯାତ୍ରୀ ପ୍ରଫୁଲ୍ଲ ଘଡ଼ାଇ ପ୍ରକାଶ କରିଛନ୍ତି। ସାଙ୍ଗକୁ ବଞ୍ଚାଇବାକୁ ଯାଇ ସେହି ଗ୍ରାମର ଶରତ ଘଡ଼ାଇଙ୍କ ପୁଅ ପ୍ରଫୁଲ୍ଲ (୩୫) ଟ୍ରେନ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ରୁ ଧକ୍କା ଖାଇ ପଡ଼ିବା ପରେ ହରିଆଙ୍କ ଡାହାଣ ଗୋଡ଼ର ଆଣ୍ଠୁ ତଳକୁ କଟି ଦୁଇଖଣ୍ତ ହୋଇଯାଇଛି। ଅନ୍ଧାରରେ ସାହାଯ୍ୟ ପାଇଁ ପ୍ରଫୁଲ୍ଲ ଚିତ୍କାର କରିଥିଲେ। ପାଟି ଶୁଣି ହରିଦାସପୁର ଷ୍ଟେସନରେ ଡ୍ୟୁଟି କରୁଥିବା ଜିଆରପି କର୍ମଚାରୀ ସେଠାରେ ପହଞ୍ଚିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଥିଲା। କଟିଯାଇଥିବା ଗୋଡ଼ଟି କ୍ଷତାକ୍ତ ହୋଇଯାଇଥିବାରୁ ଯୋଡ଼ିବା ସମ୍ଭବ ନୁହେଁ ବୋଲି ଡାକ୍ତର ଜଣାଇଛନ୍ତି।

ପ୍ରଫୁଲ୍ଲଙ୍କ କହିବା ଅନୁଯାୟୀ, ହରିଆଙ୍କ ଗୋଡ଼ ଟ୍ରେନ୍‌ ଚକତଳେ ନୁହେଁ ଖୁଣ୍ଟକୁ ଭିଡ଼ି ରଖିବାକୁ ଲାଗିଥିବା ଷ୍ଟେ ତାରରେ ପିଟିହେବାରୁ କଟିଯାଇ ଦୁଇଖଣ୍ତ ହୋଇଯାଇଥିଲା। ପରିବାରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି। ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।