ବିଳମ୍ବର ଅନ୍ୟନାମ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ

୨୦୦୦ ମସିହାରୁ ଟିଏସିରେ ଅନୁମୋଦନ ହୋଇଛି
ଆରମ୍ଭ ହୋଇନି ନିର୍ମାଣ କାର୍ଯ୍ୟ
୧୦୧୪.୬୬ କୋଟି ଟଙ୍କାର ବ୍ୟୟ ଅଟକଳ

ନୟାଗଡ଼ : ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ପାଖାପାଖି ୩୦ ବର୍ଷରୁ ଅଧିକ ସମୟର ପ୍ରସ୍ତାବିତ ଏହି ପ୍ରକଳ୍ପ ନିର୍ମାଣ ନେଇ ଏବେ ବି ଆଶା, ଆଶଙ୍କା ଲାଗି ରହିଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରାଳୟ, ରାଜ୍ୟ ସରାକାରଙ୍କ ଜଳସମ୍ପଦ, ଜଙ୍ଗଲ ବିଭାଗ ଝାମେଲା‌ରେ ପ୍ରକଳ୍ପ ଝୁଲି ରହୁଛି। ଦଶପଲ୍ଲା ବ୍ଲକ୍‌ର ମଞ୍ଜାରୀ ଗ୍ରାମ ପାର୍ଶ୍ବ ଦେଇ ବହିଯାଇଥିବା ବୃତ୍ତଙ୍ଗ ନଦୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ନେଇ ନାନା ଆନୁଷଙ୍ଗିକ ପ୍ରକ୍ରିୟା ଏକରମକ ଧୀମା ଗତିରେ ଚାଲିଛି।

୨୦୦୦ ମସିହାରୁ ଏହି ପ୍ରକଳ୍ପଟି କେନ୍ଦ୍ର ସରକାରଙ୍କ ଟେକ୍ନିକାଲ ଆଡଭାଇଜର୍‌ କମିଟି(ଟିଏସି)ରେ ଅନୁମୋଦନ ଲାଭ କରିସାରିଛି। ଏହା ମଧ୍ୟରେ ଦୁଇ ଦଶନ୍ଧି ଶେଷ ହୋଇଯାଇଥିଲେ ବି ପ୍ରକଳ୍ପ ନିର୍ମାଣ ନିମନ୍ତେ ଇଟାଖଣ୍ଡିଏ ପଡ଼ିପାରିନାହିଁ। ୩୫୫୨ ହେକ୍ଟର ଜାଗାରେ ଜିଲ୍ଲାର ଏହି ସର୍ବବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଯୋଜନା ରହିଛି। ଯାହା ବାସ୍ତବ ରୂପ ନେଲେ ଦଶପଲ୍ଲା, ନୂଆଗାଁ, ଖଣ୍ଡପଡ଼ା, ନୟାଗଡ଼, ଓଡ଼ଗାଁ ବ୍ଲକ୍‌ର ୨୩ ହଜାର ‌ହେକ୍ଟର ଜମି ଜଳସେଚନର ସୁବିଧା ପାଇପାରିବ। ପ୍ରକଳ୍ପ ନିକଟସ୍ଥ ୧୦ଟି ଗ୍ରାମ ବିସ୍ଥାପତି ହେବା ସହିତ ୨୦ଟି ଗ୍ରାମ ଆଂଶିକ ପ୍ରଭାବିତ ହେବ। ବିଡ଼ମ୍ବନାର ବିଷୟ ହେଲା ୨୦୦୬ ମହିହାରେ ପ୍ରକଳ୍ପଟି ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟଠାରୁ ପାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ନିମନ୍ତେ ୩୪ଟି ସର୍ତ୍ତାବଳି ପୂରଣ କରି ୫ ବର୍ଷ ମଧ୍ୟ‌ରେ ଆବେଦନ କରିବାକୁ କେନ୍ଦ୍ର ସରକାର ସମୟ ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏଥିରେ ଫେଲ୍‌ ମାରିବା ସହିତ ଆଉ ୫ ବର୍ଷ ସମୟ ମାଗିଥିଲା। ଅର୍ଥାତ୍‌ ୨୦୧୬ ମଧ୍ୟରେ ଏଥିନେଇ ଆବେଦନ କରିବା କଥା। କିନ୍ତୁ କେନ୍ଦ୍ର ସରକାର ରଖିଥିବା ୩୪ଟି ସର୍ତ୍ତକୁ ଜଳସମ୍ପଦ ବିଭାଗ ଉପସ୍ଥାପନ କରି ପାରିନଥିବାରୁ ପ୍ରକଳ୍ପ ନିମନ୍ତେ ଏ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅନୁମତି ମିଳିପାରିନାହିଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାପ ପଡ଼ିବାରୁ ପ୍ରାୟ ୫ ବର୍ଷ ପରେ ଅର୍ଥାତ୍‌ ଗତ ଡିସେମ୍ବର ମାସରେ ଦ୍ବିତୀୟ ପର୍ଯ୍ୟାୟ ଅନୁମତି ନିମନ୍ତେ ଆବେଦନ କରାଯାଇଥିବା ଜଳସମ୍ପଦ ବିଭାଗ ଇନ୍‌ଭେଷ୍ଟିଗେସନ୍‌ ଶାଖା କଟକ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ବାଇଧର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଅନୁମତି ମିଳିବାର ୧୦ ବର୍ଷରେ ଦ୍ବିତୀୟ ପର୍ଯ୍ୟାୟ ଅନୁମତି ନିମନ୍ତେ ଆବେଦନ କରିବା, ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛି। ପ୍ରକଳ୍ପ ମଧ୍ୟରେ ୧୫୨୪.୧୭ ହେକ୍ଟର ଜଙ୍ଗଲ ଜମି ଲୋପ ପାଇବ। ‌ତେଣୁ ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗକୁ ୧୯୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଗଲେ କାମ ଆରମ୍ଭ କରିବୁ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଭଳି ସ୍ଥିତିରେ ଆବେଦନ ନିମନ୍ତେ ବିଳମ୍ବ ହୋଇଥିବାରୁ କେନ୍ଦ୍ର ସରକାର ଏହାକୁ କିଭଳି ଦେଖୁଛନ୍ତି, ଅନୁମତି ଦେଉଛନ୍ତି କି ନାହିଁ ଅବା ଏହି ଫାଇଲ୍‌ ନାଲିଫିତା ତଳେ ଚାପି ହୋଇଯିବ, ସେଥିନେଇ ଆଶଙ୍କା ପ୍ରକାଶ ପାଇଛି। ନିର୍ବାଚନ ସମୟରେ କେନ୍ଦ୍ର ନେତାଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତା ବୃତ୍ତଙ୍ଗ ପ୍ରକଳ୍ପ ନେଇ ମଞ୍ଚରେ ଲୁହା ଗଡ଼ାନ୍ତି, ନୟାଗଡ଼ବାସୀଙ୍କୁ ସ୍ବପ୍ନ ଦେଖାନ୍ତି। କିନ୍ତୁ ନିର୍ବାଚନ ସରିଲେ ବୃତ୍ତଙ୍ଗ ଅଲୋଡ଼ା ହୋଇଯାଏ। ଜିଲ୍ଲାବାସୀଙ୍କ ଏହି ଅତ୍ୟାବଶ୍ୟକ ପ୍ରକଳ୍ପ କେବେ ବାସ୍ତବ ରୂପ ନେଉଛି, ତାହା ଦେଖିବାକୁ ସଭିଏଁ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର