ଭୁବନେଶ୍ବର: ଏଣିକି ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ବିଏସ୍‌ଇ) ଏବଂ କାଉନ୍‌ସିଲ୍‌ ଅଫ୍‌ ସେକେଣ୍ଡାରି ‌ଏଜୁକେସନ୍‌ (ସିଏଚ୍‌ଏସ୍‌ଇ)କୁ ଗୋଟିଏ ବୋର୍ଡ ଗଠନ ହେବ। ଗୋଟିଏ ବୋର୍ଡର ନିୟମ ଆଧାରରେ ରହିବେ ଅଧିକାରୀ।

Advertisment

ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଳିତ ଗୋଟିଏ ବୋର୍ଡ ଗଠନ କରିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଗୋଟିଏ ବୋର୍ଡ ଗଠନ ହେଲେ ବୋର୍ଡ ନିୟମ ଆଧାରରେ କର୍ମଚାରୀ ରହିବେ। ନୂଆ ଶିକ୍ଷାନୀତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତା ଅନୁସାରେ ଆଗକୁ ନିଷ୍ପତ୍ତି ନିଆଯିବ ଓ ଆଲୋଚନା ହେବ।

କଟକରେ କି ଭୁବନେଶ୍ୱରରେ କାର୍ଯ୍ୟାଳୟ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରାଯିବ। ଖାଲିଥିବା ଶିକ୍ଷକ ପଦବୀ ପୂରା ହେବ। ପ୍ରତିବର୍ଷ ୧୫ ହଜାର ଶିକ୍ଷକ ଓ ଆସନ୍ତା ୩ ବର୍ଷ ଭିତରେ ୪୪ ହଜାର ୪୩୩ ପଦବୀ ପୁରା କରିବାକୁ ମୁଖ୍ୟମନ୍ତ୍ରୀ ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି । ୪୫ ହଜାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଆଗକୁ ଶିଶୁ ସେବିକା ନିଯୁକ୍ତି ହେବେ।  ସରକାରୀ ଓ ଆଡେଡ଼ ସ୍କୁଲରେ ନବମ ଓ ଦଶମ ଶ୍ରେଣୀପିଲାଙ୍କୁ ମାଗଣାରେ ମିଳିବ ବହି। ହଷ୍ଟେଲ ପିଲାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଚିନ୍ତା କରି ସରକାର ଗୁରୁତ୍ୱ ଦେଇ ୩୦୦ ପିଲାଙ୍କ ପାଇଁ ଜଣେ ଏଏନ୍‌ଏମ୍‌ ନିଯୁକ୍ତି ଦେବ ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଯେହେତୁ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଶିକ୍ଷକ ଥିଲେ; ତେଣୁ ପ୍ରାଥମିକ ଶିକ୍ଷା ସୁଦୃଢ଼ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ସମୟସୀମା ମଧ୍ୟରେ କାମ ହେବ, ଏନେଇ ଆମେ ତତ୍ପର ଅଛୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।