ମାର୍କ ମିସ୍‌ମ୍ୟାଚ୍ : ବିଳମ୍ବ ହେଉଛି ମାଟ୍ରିକ୍ ଫଳ

ummid.com

କଟକ : ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା। ଏବେ ଦ୍ବିତୀୟ ସପ୍ତାହ ପୂରିବାକୁ ବସିଲାଣି। ଫଳ ପ୍ରକାଶନର କୌଣସି ସୂଚନା ନାହିଁ। ଫଳ ପ୍ରକାଶନ ନେଇ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ତାରିଖ କହିପାରୁନାହାନ୍ତି। ଏହା ମଧ୍ୟରେ ସିବିଏସ୍ଇର ଉଭୟ ଦଶମ ଓ ଦ୍ବାଦଶ ଫଳାଫଳ ସହିତ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି। ମାଟ୍ରିକ ପରୀକ୍ଷା ଫଳ ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଓ ଅଭି‌ଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫେବ୍ରୁ୍ଆରି ୨୪ରୁ ଆରମ୍ଭ ‌ହୋଇଥିବା ମାଟ୍ରିକ, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା ମାର୍ଚ ୯ ତାରିଖରେ ସରିଥିଲା। ମୂଲ୍ୟାୟନ ପ୍ରକ୍ରିୟା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ଏପ୍ରିଲ ୫ରେ ଶେଷ ହୋଇଥିଲା। ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ‌ବେଳେ ଓଏମ୍‌ଆର୍‌ ମୂଲ୍ୟାୟନ ଚାଲିଥିଲା। ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ମାର୍କ ପୋଷ୍ଟିଂ ହୋଇଥିଲା। କିନ୍ତୁ ଚୂଡାନ୍ତ ପର୍ଯ୍ୟାୟରେ କିଛି ପରୀକ୍ଷାର୍ଥୀଙ୍କ ଦୀର୍ଘ ଉତ୍ତରମୂଳକ ମାର୍କ ସହିତ ଓଏମ୍ଆର୍‌ ମାର୍କ ମଧ୍ୟରେ ତାଳମେଳ ଖାଇନଥିବା ସୂଚନା ମିଳିଛି। କିଛି ପରୀକ୍ଷାର୍ଥୀ ଦୀର୍ଘ ଉତ୍ତରୂମଳକରେ ୪୦/୪୫ ନମ୍ବର ରହିଥିବା ବେଳେ ଓଏମ୍‌ଆର୍‌ରେ ୪/୫ ନମ୍ବର ରହିଛି। ବୋର୍ଡ ଭାଷାରେ ଏହାକୁ ଆବ୍‌ସର୍ଡ ନମ୍ବର କୁହାଯାଏ। ଗଲା ୩ ଦିନ ଧରି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏହି ଆବ୍‌ସର୍ଡ ନମ୍ବର ସବୁର ସଂଶୋଧନ ଚାଲିଥିଲା। କିଛି ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ସଂଶୋଧନ ହୋଇସାରିଥିବା ସୂଚନା ମିଳିଛି। ଏହି ସମାନ ଅବସ୍ଥା ମଧ୍ୟ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ କ୍ଷେତ୍ରରେ ଦେଖାଯାଇଛି। ସବୁର ସଂଶୋଧନ ପରେ ଏବେ ଚୂଡାନ୍ତ ପ୍ରକ୍ରିୟା ଚାଲିଛି। ଅନ୍ୟ ପକ୍ଷରେ ନେଟ୍‌ କାମ ନକରିବା ମଧ୍ୟ ଫଳ ପ୍ରକାଶନ ବିଳମ୍ବର କିଛି ଅଂଶରେ ଦାୟୀ ବୋଲି ବୋର୍ଡରେ ଅଧିକାରୀ କହିଛନ୍ତି। ଏଭଳି ସ୍ଥିତିରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶନ ଆଉ ୩/୪ଦିନ ବିଳମ୍ବ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର