ମାଟ୍ରିକ୍‌ ଫଳ ପାଇଁ ପ୍ରଧାନଶିକ୍ଷକଙ୍କ ଉପରେ ବିଏସ୍‌ଇର ଚାପ: ଇଣ୍ଟରନାଲ ଆସେସ୍‌ମେଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ପ୍ରଧାନଶିକ୍ଷକ

ମଗାଯାଇଥିବା ରିପୋର୍ଟରେ ସ୍ପଷ୍ଟତା ନାହିଁ: ଓଷ୍ଟା
ଖୁବ୍‌ଶୀଘ୍ର ଜାରି ହେବ ପୂର୍ଣ୍ଣାଙ୍ଗ ନିୟମାବଳୀ: ବୋର୍ଡ

ଭୁବ‌ନେଶ୍ବର : ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଦଶମ ଓ ନବମ ଶ୍ରେଣୀର ମାର୍କ ଦାଖଲ କରିବାକୁ ଗତକାଲି ମଧ୍ୟରାତିରେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଥିଲା। ୩ ତାରିଖ ଅର୍ଥାତ୍‌ ଆଜି ସନ୍ଧ୍ୟା ସୁଦ୍ଧା ସ୍କୁଲର ପ୍ରଧାନଶିକ୍ଷକମାନେ ପିଲାଙ୍କ ଟାବୁଲେସନ୍‌ ରେଜିଷ୍ଟର(ଟିଆର୍‌) ମେଣ୍ଟର ସ୍କୁଲ/ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ତେବେ ଏତେ କମ୍‌ ସମୟ ଦିଆଯାଇଥିବାରୁ ଅଧିକାଂଶ ସ୍କୁଲ କର୍ତ୍ତୃପକ୍ଷ ଟିଆର୍‌ ଦାଖଲ କରିପାରିନାହାନ୍ତି। ଏଥିସହ ପରୀକ୍ଷାର୍ଥୀଙ୍କ ୯ମ ଶ୍ରେଣୀ ମାର୍କ ସହ ୨୦ମାର୍କର ଆସେସ୍‌ମେଣ୍ଟ ଦାଖଲ କରିବାକୁ ଏଥିରେ କୁହାଯାଇଥିଲା। କେବେ ଏଭଳି ଆସେସ୍‌ମେଣ୍ଟ କରି ନ ଥିବା ସ୍କୁଲ କର୍ତ୍ତୃପକ୍ଷ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଆଗରୁ କୌଣସି ସୂଚନା ଦିଆ ନଯାଇ ହଠାତ୍‌ ମାର୍କ ଦାଖଲ କରିବାକୁ କୁହାଯାଇଥିବାରୁ କେଉଁ ଆଧାରରେ ସେମାନେ ପିଲାଙ୍କୁ ଆସେସ୍‌ମେଣ୍ଟ ମାର୍କ ଦେବେ, ତାହାକୁ ନେଇ ଅନେକ ସ୍କୁଲ କର୍ତ୍ତୃପକ୍ଷ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ ଏଭଳି ରାତିଅଧିଆ ଟିଆର୍‌ ମାଗାଯିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ନାପସନ୍ଦ କରିଛନ୍ତି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ୧୨ଘଣ୍ଟା ମଧ୍ୟରେ ପିଲାଙ୍କ ରିପୋର୍ଟ ଦାଖଲ କରିବା ସମ୍ଭବପର ନୁହେଁ। ଅଧିକାଂଶ ଶିକ୍ଷକ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ରାତିରେ ଚିଠି ବାହାର କରି ଆଜି ଭିତରେ ରିପୋର୍ଟ ଦେବାକୁ କହିବା ଠିକ୍‌ ହୋଇନି। ପ୍ରାକ୍ଟିସ୍‌ ପରୀକ୍ଷାରେ ଛାତ୍ରଛାତ୍ରୀ ୬୦ମାର୍କ ପ୍ରଶ୍ନପତ୍ରର ଉତ୍ତର ଦେଇଛନ୍ତି। ପରିଷଦ ପକ୍ଷରୁ ୮୦ମାର୍କର ଉତ୍ତର ମଗା ଯାଇଛି। ଆଉ ମାର୍କ କେଉଁଠୁ ଆସିବ। ଯେଉଁ ରିପୋର୍ଟ ମଗାଯାଇଛି, ସେଥିରେ କୌଣସି ପ୍ରକାର ସ୍ପଷ୍ଟତା ନାହିଁ। ୨୦୨୦ ଫେବ୍ରୁଆରି ୧୭ରେ ନବମ ଶ୍ରେଣୀ ଶେଷ ଦିନର ପରୀକ୍ଷା ହୋଇ ପାରି ନ ଥିଲା। କେଉଁ ଆଧାରରେ ଶିକ୍ଷକମାନେ ପିଲାଙ୍କୁ ମାର୍କ ଦେବେ। ୨୦ ମାର୍କ ଆସେସ୍‌ମେଣ୍ଟ କିଭଳି ହେବ, ତାହାର କୌଣସି ସ୍ପଷ୍ଟତା ନାହିଁ। ୯ମ ଶ୍ରେଣୀରେ ସେଭଳି କିଛି ବି କରାଯାଇ ନାହିଁ। ଏଭଳି ସମୟରେ କେବଳ ପ୍ରଧାନଶିକ୍ଷକ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ସବୁ ଷ୍ଟାଫ୍‌ ବସି ଆଲୋଚନା କରିବା ପରେ ଯାଇ ପିଲାଙ୍କୁ ମାର୍କ ଦେଇପାରିବେ। ୯ ହଜାରରୁ ଅଧିକ ସ୍କୁଲ, ଏକ ଲକ୍ଷ ଶିକ୍ଷକ ଓ ୬ଲକ୍ଷ ପିଲାଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଛୁ। ମାର୍କ ଦାଖଲ ଲାଗି ସମୟ ଦେବାକୁ କହିଛୁ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାର୍ଥୀଙ୍କ ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମାର୍କ ମେଣ୍ଟର୍‌ ସ୍କୁଲରେ ଦାଖଲ କରିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ସ୍କୁଲଗୁଡ଼ିକ ବୋର୍ଡ ଫର୍ମାଟ୍‌ରେ ନିଜସ୍ତରରେ ଟିଆର୍‌ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ। ମେଣ୍ଟର ସ୍କୁଲ ଉକ୍ତ ଫର୍ମାଟ୍‌ରେ ପୂରଣ କରିବା ସହ ତାହାକୁ କେବେ ଦାଖଲ କରିବେ, ସେନେଇ ଖୁବ୍‌ଶୀଘ୍ର କୁହାଯିବ। ଯଦି ସ୍ବାସ୍ଥ୍ୟଗତ କାରଣରୁ କୌଣସି ସ୍ଥାନରେ ପ୍ରଧାନଶିକ୍ଷକ ଅନୁପସ୍ଥିତ ରହିଥା’ନ୍ତି, ସେଭଳି ସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ପୂର୍ଣ୍ଣାଙ୍ଗ ଗାଇଡ୍‌ଲାଇନ୍‌ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

ଶିକ୍ଷାବିତ୍‌ଙ୍କ ମତରେ ମାର୍କ ଦାଖଲ ଲାଗି ୩ଟି ଉପାୟ କରାଯାଇପାରେ। ଦଶମ ଶ୍ରେଣୀର ଚାରୋଟି ଅଭ୍ୟାସମୂଳକ ପରୀକ୍ଷାରୁ ହାରାହାରି ମାର୍କ ନିଆଯାଇ ଫଳ ବାହାରି ପାରିବ। ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀ ପରୀକ୍ଷା ମାର୍କ ଓ ଦଶମ ଅଭ୍ୟାସ ପରୀକ୍ଷାର ନମ୍ବର ମିଶାଇ ହାରାହାରି ମାର୍କ ପ୍ରକାଶ କରାଯାଇପା‌ରେ। ନଚେତ୍‌ ଦଶମର ଚାରୋଟି ଅଭ୍ୟାସ ପରୀକ୍ଷା ମଧ୍ୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇପାରେ।

ସମ୍ବନ୍ଧିତ ଖବର