ବୋର୍ଡ କର୍ମଚାରୀଙ୍କ ଦାବି ରହିଲା : ହାଇସ୍କୁଲ ବହି ଛପା ଦାୟିତ୍ୱ ବୋର୍ଡକୁ ହସ୍ତାନ୍ତର, ଆସନ୍ତା ଶିକ୍ଷାବର୍ଷରୁ ବୋର୍ଡ ପ୍ରକାଶ କରିବ ପରୀକ୍ଷା କ୍ୟାଲେଣ୍ଡର

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପୂର୍ବଭଳି ନବମ ଓ ଦଶମ ଶ୍ରେଣୀର ପାଠ୍ୟପୁସ୍ତକ ଛାପିବ। ଏହି ଦାୟିତ୍ବ ଟେକ୍ସଟ୍ ବୁକ୍ ପ୍ରଡକ୍ସନ ଆଣ୍ଡ୍ ମାର୍କେଟିଂ(ଟିବିପିଏମ୍‌)କୁ ଦିଆଯିବ ନାହିଁ। ଏଭଳି ଘୋ‌‌ଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବୋର୍ଡର ୬୪ତମ ପ୍ରତି‌ଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଏଭଳି ଘୋଷଣା କରିବା ପରେ ବହି ଛପାକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ‌ହୋଇଛି।

ନବମ ଓ ଦଶମ ‌ଶ୍ରେଣୀ ପାଇଁ ସିଲାବସ୍ ପ୍ରସ୍ତୁତି, ବହି ଛାପିବା ଓ ବିକ୍ରୟ ଆଦି କାର୍ଯ୍ୟ ବୋର୍ଡ ପକ୍ଷରୁ ସଂପାଦିତ ହେଉଥିଲା। କିନ୍ତୁ କିଛି ମାସ ତଳେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଚିବସ୍ତରୀୟ ବୈଠକରେ ଏହି ଦାୟିତ୍ବକୁ ବୋର୍ଡ ହାତରୁ କାଢ଼ି ନିଆଯାଇ ଟିବିପିଏମ୍‌କୁ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ ବୋର୍ଡ ଅଫିସର୍ସ ଆସୋସିଏସନ୍ ଓ ଏମ୍ପ୍ଲଇଜ୍ ଆସୋସିଏସନ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା। ପ୍ରତିବାଦରେ ଉଭୟ ସଂଘ ପକ୍ଷରୁ ବିଭିନ୍ନ ସମୟରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା। ଏପରିକି ଗତ ନଭେମ୍ବର ୨୧ରୁ ୩୧ତାରିଖ ପର୍ଯ୍ୟନ୍ତ ବୋର୍ଡ କର୍ମଚାରୀମାନେ ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ଜୋନ୍ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହିତ ଡିସେମ୍ବର ୧ ତାରିଖରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭୁବନେଶ୍ବର ସରକାରୀ ବାସଭବନରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଡିସେମ୍ବର ୩ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ‌ସଚିବାଳୟରେ ଏକ ଉଚ୍ଚସ୍ତରୀୟ ‌ବୈଠକ ମଧ୍ୟ ବସିଥିଲା। ମନ୍ତ୍ରୀ ଶ୍ରୀ ଦାଶ ଏହାର ସମାଧାନ ପାଇଁ ତିନି ଦିନ ସମୟ ମାଗିବା ସହିତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଆଜି ବୋର୍ଡର ପ୍ରତିଷ୍ଠା ଦିବସରେ ନବମ, ଦଶମ ବହି ଛାପିବା ଦାୟିତ୍ବ ବୋର୍ଡକୁ ଦେବା ପ୍ରସଙ୍ଗରେ ବିଧିବଦ୍ଧ ‌ଘୋଷଣା କରିବା ପରେ ଦୀର୍ଘ ଦିନ ବିବାଦର ସମାଧାନ ହୋଇଛି। ଏଥିସହିତ ଆସନ୍ତା ଶିକ୍ଷା ବର୍ଷରୁ ବୋର୍ଡ ପକ୍ଷରୁ ପରିଚାଳିତ ସମସ୍ତ ପରୀକ୍ଷାର କାର୍ଯ୍ୟସୂଚୀ ସମେତ ବୋର୍ଡର ଅନ୍ୟାନ୍ୟ କାର୍ଯ୍ୟକଳାପ ସଂପର୍କିତ ଏକ କ୍ୟାଲେଣ୍ଡର ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ଉତ୍ସବରେ ମନ୍ତ୍ରୀ ଶ୍ରୀ ଦାଶ ବୋର୍ଡ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ। ଏହି କ୍ୟାଲେଣ୍ଡରେ ବୋର୍ଡର ସମସ୍ତ କାର୍ଯ୍ୟକ୍ରମ ସହିତ ବୋର୍ଡ ପରିଚାଳନା କରୁଥିବା ସମସ୍ତ ପରୀକ୍ଷାର କାର୍ଯ୍ୟସୂଚୀ ରଖାଯିବାକୁ ମନ୍ତ୍ରୀ ଶ୍ରୀ ଦାଶ ବୋର୍ଡ କର୍ତ୍ତୃପକ୍ଷଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର