ମାଲକାନଗିରି/କୋରାପୁଟ: ବିଏସ୍ଏଫ୍ ଏଡିଜି ରାଜବିନ୍ଦର ସିଂ ଭଟ୍ଟି ଆଜି ମାଲକାନଗିରି ଓ କୋରାପୁଟ ଗସ୍ତ କରିଛନ୍ତି। କୋରାପୁଟ ଗସ୍ତ ଶେଷ କରି ମଧ୍ୟାହ୍ନ ପ୍ରାୟ ୧୨ଟାରେ ମାଲକାନଗିରି ଗସ୍ତରେ ପହଞ୍ଚି ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଂଚଳର ଶେଷ ସୀମାରେ ରହିଥିବା ଯନ୍ତ୍ରୀ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ଯବାନଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ଆନ୍ଧ୍ରକୁ ଲାଗି ରହିଥିବା ଏହି ଯନ୍ତ୍ରୀ ଦିନେ ନକ୍ସଲଙ୍କର ଗଡ ଥିଲା। ନକ୍ସଲ ଏଠାରେ ଦିନ ବେଳା ବିଚରଣ କରୁଥିଲେ। ଯନ୍ତ୍ରୀ ନକ୍ସଲଙ୍କର ଏକ ପ୍ରକାର ଅଭେଦ ଦୁର୍ଗ ଥିଲା। କିନ୍ତୁ ଆଜି ବିଏସ୍ଏଫ୍ ଏଠାରେ ପହଞ୍ଚି ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ଏଡିଜି ରାଜଵିନ୍ଦର ଖୁସି ଜାହିର କରିଥିଲେ। ବିଏସ୍ଏଫ୍ ସବୁବେଳେ ସୀମାରେ ରହି ସୁରକ୍ଷା ଦେଇଥାଏ। ଏଥର ମଧ୍ୟ ସୀମାରେ ରହି ନକ୍ସଲଙ୍କୁ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଥିବା ସେ କହିଥିଲେ। ପରେ ପୁଲିସ ଏବଂ ବିଏସ୍ଏଫ୍ର ଅଧିକାରୀମାନଙ୍କ ସହ ସାକ୍ଷାତ କରି ଏକ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ।
ପରେ ଯନ୍ତ୍ରୀ ଗ୍ରାମବାସୀଙ୍କ ସହ ମିଶି ସେମାନଙ୍କର ସୁଖ ଦୁଃଖ ସଂପର୍କରେ ପଚାରି ବୁଝିଥିଲେ। ଏହି ଅଂଚଳରେ କିପରି ବିକାଶ କାର୍ଯ୍ୟ ତରାନ୍ବିତ ହେବ ସେନେଇ ସେ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାମ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେହିପରି ନକ୍ସଲ ଗଡରେ ତ୍ରିରଙ୍ଗା ଉଡିଥିବାରୁ ବିଏସଏଫ ଏହାକୁ ଏକ ପ୍ରକାର ବିଜୟ ବୋଲି କହିଛି। ଲୋକେ ଆଉ ନକ୍ସଲକୁ ଭୟ ନକରି ନିଜର ଦାବି ଉପସ୍ଥାପନା କରନ୍ତୁ।ନିଜ ଅଂଚଳର ବିକାଶ କରିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ। ପୁଲିସ ଏବଂ ବିଏସଏଫ ମିଳିତ ଭାବେ ସ୍ବାଭିମାନ ଅଂଚଳରୁ ନକ୍ସଲକୁ ହଟାଇବାରେ ସଫଳ ହୋଇଥିବା କହିଥିଲେ। ଚଳିତ ନିର୍ବାଚନ ସୁରୁଖୁରୁରେ ସରିବା ସହ ଏହି ଅଂଚଳର ବିକାଶକୁ ଆହୁରି ଦ୍ରୁତ କରାଯିବ ବୋଲି କୁହାଯାଇଛି। ବିଏସଏଫ ଏବଂ ପୁଲିସର ଘନ ଘନ ଚଢଉରେ ନକ୍ସଲ ଏବେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା କହିଥିଲେ। ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ଆହ୍ବାନ ଦିଆଯାଇଥିଲା।